ଓଡିଶା

odisha

ETV Bharat / state

ରାଇରଙ୍ଗପୁର: କାହାକୁ ମିଳିବ ବିଜେଡି ଟିକେଟ? - bjd supremo

ଗତଥର ଭଳି ଏଥର ମଧ୍ୟ ଚର୍ଚ୍ଚାରେ ମୟୂରଭଞ୍ଜର ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ। ଚଳିତଥର ପ୍ରାର୍ଥୀ ନୁହେଁ ଟିକେଟ ଆଶାୟୀଙ୍କ ଲମ୍ବା ଲାଇନ ଏଠାକାର ରାଜନୀତିକୁ ସରଗରମ କରିଛି।କିଏ ବିଜେଡି ଟିକେଟ ପାଇବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା।

ଫାଇଲ ଫଟୋ

By

Published : Mar 25, 2019, 1:44 PM IST

Updated : Mar 25, 2019, 9:42 PM IST

ରାଇରଙ୍ଗପୁର: ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ସରଗରମ ହୋଇଉଠିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରାଜନୀତି । ନିର୍ବାଚନରେ ଏଠାରେବିଜୟ ବାନା ଉଡାଇବା ପାଇଁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଟିକେଟ ଆଶାୟୀଙ୍କ ଚିନ୍ତା ବର୍ତ୍ତମାନ ଉଣାଅଧିକେ ସବୁ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଟିକେଟ କାହାକୁ ମିଳିବ ସେ ନେଇ ଚାଲିଛି ଅଙ୍କକଷା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଯାହା ରାଜ୍ୟର ରାଜନୈତିକ ବାତାବରଣକୁ ଏକ ପ୍ରକାର ଚଳଚଞ୍ଚଳ କରି ରଖିଛି। ଏହାର ପ୍ରଭାବରୁ ବାଦ ପଡିନାହିଁ ମୟୂରଭଞ୍ଜର ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ । ଗତଥର ଭଳି ଏଥର ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା। ଟିକେଟ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନରେ ଏଠାକାର ପାଣିପାଗ ହୋଇଉଠିଛି ସମଗରମ।

ରାଇରଙ୍ଗପୁର, ବହଳଦା, ଯାମଦା, ତିରିଂ ବ୍ଲକ ଏବଂ ରାଇରଙ୍ଗପୁର ପୌରପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ଏହି ଆସନ। ଗତ 2014 ବିଧାନସଭା ନିର୍ବାଚନରେ ରାଜ୍ୟର ଅନ୍ୟ ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ସର୍ବାଧିକ ପ୍ରାର୍ଥୀ ଏଠାରୁ ପ୍ରତିଦ୍ବନ୍ଦିତା କରିଥିଲେ। ଶେଷରେ ବିଜେଡିରୁ ପ୍ରାର୍ଥୀ ସାଇବା ସୁଶୀଲ ହାସଂଦା ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଏଥର ପ୍ରାର୍ଥୀ ନୁହେଁ ଟିକେଟ ଆଶାୟୀଙ୍କୁ ନେଇ ପୁଣି ଚର୍ଚ୍ଚାରେ ରହିଛି ରାଇରଙ୍ଗପୁର। ଏହି ତାଲିକାରେ ବିଜେଡିରୁ ସର୍ବାଧିକ ରହିଥିବା ଜଣାପଡିଛି । ଗତଥର ହୋଇଥିବା ବିଧାୟକଙ୍କୁ ଛାଡି ଜିଲ୍ଲା ବିଜେଡି ସମ୍ପାଦକ ଜଲେନ ନାଏକ, ସୁଶିଲ ସୋରେନ୍, ପ୍ରବୀର ମାଝୀ, କାଶିନାଥ ହେମ୍ବ୍ରମ ପ୍ରମୁଖ ଏଥର ଟିକେଟ ଦୌଡରେ ରହିଛନ୍ତି।

ଆଶାୟୀଙ୍କ କହିବା ଅନୁସାରେ ଗତ ଥର ଯିଏ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ ନିର୍ବାଚନମଣ୍ଡଳୀରେ କୌଣସି ବିକାଶ ମୂଳକ କାର୍ଯ୍ୟକରିନାହାନ୍ତି। ଏଥର ତାଙ୍କୁ ଟିକେଟ ମିଳିବାର ସମ୍ଭାବାନ ନାହିଁ ବୋଲି ଆଶାବାଦୀ ଅଛନ୍ତି ବିଜେଡିର ଅନ୍ୟ ଆଶାୟୀ। ଟିକେଟ ପାଇବା ପାଇଁ ସେମାନେ ନିଜ ନିଜ ସ୍ତରରେ ଶକ୍ତି ପ୍ରଦର୍ଶନ କରିବାରେ ଲାଗି ପଡିଛନ୍ତି। ଦଳୀୟ ମୁଖିଆ କାହା ମୁଣ୍ଡରେ ସୁନାକଳସ ଢାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।

୨୦୧୯ ନିର୍ବାଚନରେ ରାଇରଙ୍ଗପୁରରୁ ଟିକେଟ ଯିଏ ବି ପାଉନା କାହିଁକି ପୁଣିଥରେ ବିଜେପି ଓ ବିଜେଡ଼ି ମଧ୍ୟରେ ପ୍ରକୃତ ଲଢେଇ ହେବା ସୁନିଶ୍ଚିତ। କାରଣ 2017 ପଞ୍ଚାୟତ ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ସଫଳତା ପାଇଥିଲା ବିଜେପି। ଏପରିକି ଜିଲ୍ଲା ପରିଷଦ ଗଠନରେ କରିବାରେ ସକ୍ଷମ ହୋଇଥିଲା। ନିକଟରେ ଶେଷ ହୋଇଥିବା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ ହୋଇଥିଲା । ଏହାର ପ୍ରଭାବ ଯେ ବିଧାନସଭା ନିର୍ବାଚନରେ ପଡିବ ତାହା କହିବା ଅସମ୍ଭବ।

ଆଶାୟୀଙ୍କ ମଧ୍ୟରୁ ଯିଏ ବି ଟିକେଟ ପାଉ ନା କାହିଁକି ନିଜ ଦମ୍ ରେ ସେ କିଛି କରିସ୍ମା ଦେଖାପାରିବେ ନାହିଁ। ତାହା ସମସ୍ତଙ୍କୁ ଜଣା। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ତଥା ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିବେ। ଦେଖିବାକୁ ବାକି ରହିଲା ବିଜେଡି ଟିକେଟରେ କିଏ ଏଠାରୁ ପ୍ରତିଦ୍ବନ୍ଦିତା କରୁଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Mar 25, 2019, 9:42 PM IST

ABOUT THE AUTHOR

...view details