ରାଇରଙ୍ଗପୁର:ମୟୂରଭଞ୍ଜ ପୋଲିସକୁ ସଫଳତା । ଇଲେକ୍ଟ୍ରିକ ସରଞ୍ଜାମ ଚୋରି ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ୨୩ ଲକ୍ଷ ଟଙ୍କାର ଇଲେକ୍ଟ୍ରିକ ସରଞ୍ଜାମ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ପିକଅପ ଭ୍ୟାନ ଓ ଗୋଟିଏ କାର ମଧ୍ୟ ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୭ ତାରିଖରେ ଶ୍ରୀରାମପୁର ଗ୍ରାମରୁ ଟ୍ରାନ୍ସଫର୍ମର ଓ କେବୁଲ ତାର ଚୋରି ହୋଇଥିବା ବିଶୋଇ ଥାନାରେ ବିଦ୍ୟୁତ ବିଭାଗର ଜେଇ ସମୀର କୁମାର ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ଏନେଇ ବିଶୋଇ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ପ୍ରଥମ ପର୍ଯ୍ୟାୟରେ ବାରିପଦା ସାଇବର ସେଲର ସହାୟତା ନେଇଥିଲା ପୋଲିସ । ତଦନ୍ତ ସମୟରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣୀପାଳ ଗ୍ରାମର ଅସିତ କୁମାର ସାହୁ ନାମକ ଜନୈକ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଏହି ଚୋରିରେ ସମ୍ପୃକ୍ତି ଥିବା ଜଣା ପଡିଥିଲା ।
ଏହାପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିଲା । ତେବେ ଚୋରି ସାମଗ୍ରୀ କରଞ୍ଜିଆ ଚଢେଇଭୋଳ ଅଞ୍ଚଳର ସ୍କ୍ରାପ୍ ବ୍ୟବସାୟୀ ଇମାନିନ୍ ଖାନଙ୍କ ନିକଟରେ ବିକ୍ରି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଉକ୍ତ ସ୍ଥାନକୁ ଯାଇ ଇମାନିନ୍ ଖାନ ଓ ଜାଭେଦ ଖାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଚୋରି ଇଲେକ୍ଟ୍ରିକ ସରଞ୍ଜାମ ଜବତ କରିଥିଲା ପୋଲିସ ।