ବାଦାମପାହାଡରୁ ରାଇରଙ୍ଗପୁର ଯାତ୍ରା, ରାଷ୍ଟ୍ରପତିଙ୍କ ସହଯାତ୍ରୀ ପାଲଟିବେ ଛାତ୍ରଛାତ୍ରୀ ରାଇରଙ୍ଗପୁର: ଜନ୍ମମାଟିକୁ ଦ୍ଵିତୀୟ ଥର ପାଇଁ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମ ସାରି ଆସନ୍ତାକାଲି (ମଙ୍ଗଳବାର) ବାଦାମପାହାଡ଼କୁ ଟ୍ରେନରେ ଯାତ୍ରା କରିବେ । ସେଠାରୁ ଫେରିବା ବେଳେ ମହାମହିମଙ୍କ ଟ୍ରେନ ଯାତ୍ରା ଏକ ନିଆରା ଟ୍ରେନ ଯାତ୍ରା ହେବ । କାରଣ ମହାମହିମଙ୍କ ସହ ୨୦୦ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯାତ୍ରା କରିବେ । ଏନେଇ ରେଲୱେ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଡାକ ବଙ୍ଗଳାରେ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାତିରେ ନିଜ ଘର ରାଇରଙ୍ଗପୁର ମହୁଲଡିହା ବାସଭବନରେ ରାତ୍ରିଯାପନ କରିବେ । ମଙ୍ଗଳବାର ସକାଳୁ ପାହାଡ଼ପୁରର ମୁର୍ମୁ ଛକରେ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରମ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିବେ । ଏହାପରେ L&T ର ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ ସହ SLS ସ୍କୁଲ ପରିଦର୍ଶନ ପରେ ବାଦାମପାହାଡ଼କୁ ଯାତ୍ରା କରିବେ । ବାଦାମପାହାଡ଼ ରେଳ ଷ୍ଟେସନକୁ ଯାଇ ସେଠାରେ ୩ଟି ନୂତନ ଟ୍ରେନର ଶୁଭାରମ୍ଭ କରିବେ ଓ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ । ସେଥିପାଇଁ ରେଳ ବିଭାଗ ବାଦାମପାହାଡ଼ରେ ବ୍ୟାପକ ପ୍ରସ୍ତୁତି କରୁଛି ।
ଏହା ବି ପଢନ୍ତୁ- ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି, ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଦେଲେ ଯୋଗ
ରାଷ୍ଟ୍ରପତି ବାଦାମପାହାଡ଼ରୁ ରାଇରଙ୍ଗପୁର ଷ୍ଟେସନକୁ ୩୨ କିମିର ଯାତ୍ରା ୪୦ ମିନିଟରେ କରିବେ । ମହାମହିମଙ୍କ ଟ୍ରେନ ଯାତ୍ରା ଏକ ନିଆରା ଟ୍ରେନ ଯାତ୍ରା ହେବ । ମହାମହିମଙ୍କ ସହ ୨୦୦ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯାତ୍ରା କରିବେ । ରେଲୱେ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲରୁ ମୋଟ ୧୨୦୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୩ଟି ଟ୍ରେନରେ ବାଦାମପାହାଡ଼ରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜସ୍ବ ସ୍କୁଲ ଏସଏଲଏସ ସ୍ମାରକୀ ସ୍କୁଲର ୫ଜଣ ଛାତ୍ରଛାତ୍ରୀ ଓ ୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ରାଷ୍ଟ୍ରପତିଙ୍କ ସହ ବାଦାମପାହାଡ଼ ସାଲିମାର ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରିବେ ସେଥିପାଇଁ ସାଲିମାର ଏକ୍ସପ୍ରେସ ଟ୍ରେନକୁ ସଫା ସୁତୁରା କରିବା ସହ ଫୁଲରେ ସଜାଯାଇଛି ।
ସୂଚନା ଥାଉ କି ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ପ୍ରଥମେ ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗରର କୋଳେଇକୁଣ୍ଡା ବାୟୁସେନାର ଏୟାରବେସରେ ପହଞ୍ଚିଥିଲେ । ଏହାପରେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାର ରିଜର୍ଭ ପୋଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ସକାଳ ୧୦:୫୫ଟାରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ସ୍ବାଗତ କରିଥିଲେ ।
ସେଠାରୁ ବାହାରି ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ୧୧ଟା ୨୫ରେ ଯୋଗ ଦେଇଥିଲେ । ଏହାପରେ ସଡକପଥରେ କୁଳିଅଣା ବ୍ଲକର ପାଣିଜିଆଠାରେ ହୋଇଥିବା ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟର ୨:୩୫ଟାରେ ଉଦଘାଟନ କରିଥିଲେ । ପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର