ରାଇରଙ୍ଗପୁର: ଆଜି 24 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । 15 ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ବାମନଘାଟି ଉପଖଣ୍ଡରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବାରିପଦା, ପଞ୍ଚପୀଢ ଓ କପ୍ତିପଦା ଉପଖଣ୍ଡରେ ବନ୍ଦର କୌଣସି ପ୍ରଭାବ ନାହିଁ । 220 ନଂ ଜାତୀୟ ରାଜପଥରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ମାନେ ପିକେଟିଂ କରି ଗାଡ଼ି ଚକା ଜାମ କରିଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରୁ ହଟାଇଛି । ବିଳମ୍ବିତ ରାତି 12 ଟା ସମୟରେ ଜେଏମଏମ କର୍ମୀ ମାନେ ବନ୍ଦ ପାଳନ ଆରମ୍ଭ କରିଥିଲେ। ବନ୍ଧର ପ୍ରଭାବ ଏତେଟା ନଥିବା ବେଳେ ଧିରେ ଧିରେ ସ୍ବାଭାବିକ ହେଉଛି ସ୍ଥିତି ।
ଆଜି ସକାଳ ସମୟରେ ରାଇରଙ୍ଗପୁର ସହରର ବିଭିନ୍ନ ଛକ ଗୁଡିକରେ ଦଳର ନେତା ଓ କର୍ମୀ ମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଥିଲା । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରାଇଥିଲେ ଜେଏମଏମର ନେତା ଓ କର୍ମୀ । ତେବେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ । 15 ଗୋଟି ଦାବିକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇ ବନ୍ଦ ପାଳନ କରୁଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ।