ବାରିପଦା: ବିଷ ଖାଇ ମାଟ୍ରିକ ଛାତ୍ରୀଙ୍କ ଆତ୍ମହତ୍ୟା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ବାହାନାଡା ଗାଁରେ । ମୃତ ଛାତ୍ରୀ ହେଲେ ବାହାନାଡା ଗ୍ରାମର ଶିଶିର ମଢୁଆଳଙ୍କ 15 ବର୍ଷର ଏକମାତ୍ର କନ୍ୟା ରଶ୍ମିରେଖା ମଢୁଆଳ ।
ବିଷାକ୍ତ ଔଷଧ ଖାଇ ମାଟ୍ରିକ ଛାତ୍ରୀଙ୍କ ଆତ୍ମହତ୍ୟା ସୂଚନାନୁସାରେ, ରଶ୍ମିରେଖା ବେତନଟୀ ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ ଛାତ୍ରୀ ଥିଲେ । ସେ ପାଠପଢାରେ ଦକ୍ଷ ଥିବାବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ବୁଧବାର ଦିନ ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ 75 ପ୍ରତିଶତ ମାର୍କ ରଖିଥିବା ଦେଖି ଚିନ୍ତିତ ହୋଇଯାଇଥିଲେ । କାରଣ ସେ ପରୀକ୍ଷାରେ 80 ରୁ 85 ପ୍ରତିଶତ ମାର୍କ ରଖିବେ ବୋଲି ଆଶା ରଖିଥିଲେ ।
ନିଜ ରେଜେଲ୍ଟକୁ ନେଇ ଚିନ୍ତିତ ଥିବା ରଶ୍ମି ସେହିରାତିରେ କିଛି ନଖାଇ ଶୋଇପଡିଥିଲେ । ଗୁରୁବାର ଦିନ ସକାଳେ ସେ ଭୋରରୁ ଉଠି ନିଜର ହିତାହିତ ଜ୍ଞାନ ଭୂଲି ଘରେ ଥିବା ବିଷାକ୍ତ ଔଷଧ ସବୁ ଖାଇ ଦେଇଥିଲେ । ଘର ଲୋକ ଉଠିଲା ବେଳକୁ ତାଙ୍କ ପାଟିରୁ ଫେଣ ବାହାରୁଥିବା ସହ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ । ଘର ଲୋକ ଡେରି ନକରି ତାଙ୍କୁ ବେତନଟୀ ଡାକ୍ତରଖାନା ନେଇ ଆସିଥିଲେ । ହେଲେ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଖବର ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ