ଓଡିଶା

odisha

By

Published : Apr 6, 2023, 3:44 PM IST

ETV Bharat / state

ଶିମିଳପାଳ ଅଭୟାରଣ୍ୟରେ ଅଖଣ୍ଡ ଶିକାର: ୭ ଗିରଫ, ଧନୁତୀର ଓ କୁରାଢୀ ଜବତ

ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର । ୭ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଅଧିକ ପଢନ୍ତୁ

ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର
ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର

ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି ଶିକାରୀ । ବନବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଫଳ ଶୂନ୍ୟ । ପୁଣିଥରେ ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ଅଖଣ୍ଡ ଶିକାର ବେଳେ ୭ ଜଣ ଶିକାରୀଙ୍କୁ ସାତକୋଶିଆ ରେଞ୍ଜରଙ୍କ ସମେତ ବନ ବିଭାଗର ଏକ ଟିମ ଗିରଫ କରିଛି । ଗିରଫ ଶିକାରୀମାନେ ଏକ କୁଟିରାକୁ ଶିକାର କରି ମାରି ଦେଇଥିବାବେଳେ ସେମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର ଜବତ କରିଛି ବନ ବିଭାଗ ।

ସମସ୍ତ ୭ ଜଣ ଶିକାରୀ ସାତକୋଶିଆ ଅଞ୍ଚଳର ବୋଲି ବନ ବିଭାଗ ସୂଚନା ଦେଇଛି । ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ସାତକୋଶିଆ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ କରାଯାଉଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାତକୋଶିଆ ରେଞ୍ଜର ରବୀନ୍ଦ୍ର ନାଥ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ ଜଙ୍ଗଲ ଭିତରେ ଚଢ଼ାଉ କରିଥିଲେ । ଶିକାରୀମାନେ ବନବିଭାଗ କର୍ମଚାରୀଙ୍କୁ ଦେଖି ଏଣେତେଣେ ଦୌଡ଼ି ଖସି ପଳାଇ ଯିବା ପାଇଁ ଚେଷ୍ଟା କରିଥିଲେ । ହେଲେ ବନବିଭାଗ ସମସ୍ତଙ୍କୁ କାବୁ କରିନେଇଥିଲା । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାତକୋଶିଆ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯିବା ସହିତ ଶିକାର ପାଇଁ ବ୍ୟବହୃତ ଧନୁତୀର, କୁରାଢି ଆଦି ମାରଣାସ୍ତ୍ର ଜବତ କରିଛି ବନ ବିଭାଗ ।

ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗର ଏହି ଚଢ଼ାଉ ଟିମରେ ସାତକୋଶିଆ ରେଞ୍ଜରଙ୍କ ସମେତ ବନପାଳ ଗିରିଜା ନନ୍ଦନ ଦଳେଇ, ବିଜୟ ମହାନ୍ତ, ବିଶ୍ୱଜିତ ମହାନ୍ତ, ବନରକ୍ଷୀ ସନତ ମହାନ୍ତ, ଗଦାଧର ମହାନ୍ତ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ଗିରଫ ହୋଇଥିବା ଶିକାରୀ ହେଲେ ଘୁଳଘୁଳିଆ ଗ୍ରାମର ସାଧୁ ମହାକୁଡ଼ ଓ ଅନାମ ସୋରେନ ଏବଂ ସାତକୋଶିଆ ଗ୍ରାମର ମଙ୍ଗୁଳୁ ଦାସ, ଦୀନେଶ ମହାକୁଡ଼, ସନ୍ତୋଷ କୁମାର ଦାସ, ପ୍ରଶାନ୍ତ ନାଏକ ଓ ପଦ୍ମଲୋଚନ ଦାସ ।

ସେପଟେ ଶିମିଳିପାଳ ଅଭୟାରଣ୍ୟରେ ଏହିପରି ଅବାଧ ଶିକାର ହେଉଥିବା ଅଭିଯୋଗ କରି ଜିଲ୍ଲାର ଡୁକୁରା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଗତକାଲି ବନବିଭାଗ ପକ୍ଷରୁ ଡୁକୁରା ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଗ୍ରାମବାସୀ ରେଞ୍ଜରଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ । ଶିମିଳିପାଳ କୋର ଅଞ୍ଚଳରେ ଥିବା କେତେକ ଲୋଧା ଜନଜାତି ଲୋକେ ଜଙ୍ଗଲ ପୋଡିବା ଓ ଜଙ୍ଗଲରେ ଶିକାର କରୁଥିବା ଅଭିଯୋଗ କରି ସେମାନଙ୍କୁ କୋର ଅଞ୍ଚଳରୁ ବିସ୍ଥାପିତ କରିବା ପାଇଁ ପୂର୍ବରୁ ଗ୍ରାମବାସୀଙ୍କ ଦ୍ଵାରା ଦାବି ହୋଇ ଆସୁଥିଲା । ଏହି ଦାବି ପୂରଣ ନହେବାରୁ ବନବିଭାଗ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ । ପରେ ପୋଲିସ ଓ ବନବିଭାଗ ଅଧିକାରୀ ଗ୍ରାମବାସୀଙ୍କ ସହ ବୁଝାସୁଝା କରିବା ପରେ ସେମାନଙ୍କୁ ଛାଡିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details