ବାରିପଦା: ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜିଲ୍ଲାରେ କିନ୍ତୁ ଗରିବିର ମାତ୍ରା ବି କିଛି କମ ନୁହେଁ । ଏଠି ଲୋଧା ଓ ଖଡ଼ିଆ ସମ୍ପ୍ରଦାୟଙ୍କ ସଂଖ୍ୟା ଅଧିକ । ବଣ ଜଙ୍ଗଲଘେରା ପରିବେଶ ମଧ୍ୟରେ ଲୋଧା ସମ୍ପ୍ରଦାୟଙ୍କ ବସବାସ । ନୁଆଁଣିଆ ଚାଳ ଛପର ଘରେ ବସବାସ କରୁଥିବା ଲୋଧା ଆଦିବାସୀ ଜଙ୍ଗଲରୁ କାଠ କାଟିଲେ ଗୁଜୁରାଣ ମେଣ୍ଟେ । ତେବେ ସମସ୍ତଙ୍କର ସମାନ ଅବସ୍ଥା ନୁହେଁ । କିଏ ସମ୍ପର୍କୀୟଙ୍କ ଘର ବାରଣ୍ଡାରେ ତ ଆଉ କିଏ ଦଦରା ଚାଳ ଘରେ ରହିଆସୁଛି ।
ସେପଟେ ସରକାରୀ ଯୋଜନାକୁ ନେଇ ଏମାନଙ୍କ ଅଭିଯୋଗର ଫର୍ଦ୍ଦ ବହୁ ଲମ୍ବା । କାହାକୁ ଘର ଖଣ୍ଡିଏ ମିଳିନି ତ ଆଉ କିଏ ଅନ୍ତୋଦୟ ଯୋଜନାରୁ ବଞ୍ଚିତ । ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ପ୍ରାଥମିକ ସୁବିଧା ରହିଛି । ଖୁଣ୍ଟ ପଡ଼ିଛି, ଟ୍ରାନ୍ସଫର୍ମର ମଧ୍ୟ ବସିଛି ମାତ୍ର ସରକାରୀ ଯୋଜନା ସବୁ ଏଠି ଅପହଞ୍ଚ । ନା ଅଛି ବିଜୁ ଜ୍ୟୋତି ଯୋଜନା ନା ଅଛି ବିଦ୍ୟୁତ ବିଭାଗର ଅନ୍ୟ କୌଣସି ସୁବିଧା ସୁଯୋଗ । ସରକାରୀ ବାବୁ ଆସୁଥିଲେ ମଧ୍ୟ ଏମାନଙ୍କ ଗରିବୀ ଅବସ୍ଥାରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ ।