ରାଇରଙ୍ଗପୁର: ମାଳମାଳ ଯୋଜନା, ହେଲେ ସବୁକିଛି ବାଟବଣା । ବେସାହାରଙ୍କ ପାଇଁ ବିଜୁ ପକ୍କା ଘର କି ପ୍ରଧାନମନ୍ତ୍ରୀ ଆବାସ ନୁହେଁ । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ହୋଇଛି ଏବେ ପାଇଖାନା ଘର । ଯେଉଁଠି ରୋଷେଇ ସେଇଠି କରୁଛନ୍ତି ରାତ୍ରୀ ଯାପନ । ହେଲେ ପଚାରିବାକୁ କେହି ନାହାଁନ୍ତି । ଏଭଳି ଦୁର୍ବିସହ ଜୀବନ କାଟୁଛନ୍ତି ମୟୂରଭଞ୍ଜ ବିଶୋଇ ବ୍ଲକ ଅନ୍ତର୍ଗତ ଖଡିଆ ସାହିର 70 ବର୍ଷୀୟ ଅନ୍ଧାରୀ ଦେହୁରୀ ।
ସ୍ବାମୀ ଥିବା ସମୟରେ କୁଡିଆ କରି ରହୁଥିଲେ ଅନ୍ଧାରୀ । ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗିଯାଇଥିଲା କୁଡିଆ । ସେହିପରି ଏକମାତ୍ର ଝିଅକୁ ବିବାହ କରାଇ ଦେଇଛନ୍ତି ସେ । ଫଳରେ ଭତ୍ତା ଟଙ୍କା ଓ ଟଙ୍କିକିଆ ଚାଉଳ ଆଶ୍ରାରେ ପେଟ ପୋଷି ପାଇଖାନା ଭିତରେ ଏକାକୀ ଜୀବନ ଜୀଉଁଛନ୍ତି । ଆଉ ଏବେ ଜଙ୍ଗଲ କଡରେ ଥିବା ଏହି ପାଇଖାନା ଘରେ କାଟିଦେଲେଣି 5 ବର୍ଷ । ଖରା, ବର୍ଷା ଓ ଅସମ୍ଭାଳ ଶୀତ ସାଙ୍ଗକୁ ହାତୀଭୟ ସର୍ବଦା ଲାଗିରହିଛି । ହେଲେ ଏହି ବୃଦ୍ଧାଙ୍କ ନିକଟକୁ ପହଞ୍ଚି ପାରିନି ପ୍ରଶାସନ । ଗୋଟିଏ ପଟେ, ଖଡିଆ ଜନଜାତିକୁ ମୁଖ୍ୟସ୍ରୋତରେ ଆଣିବାକୁ ଚେଷ୍ଟା କରୁଥିବାବେଳେ ସରକାର ପ୍ରକୃତରେ ଘର ଖଣ୍ଟିକ ଦେଇପାରୁ ନଥିବାର ଅଭିଯୋଗ ହୋଇଛି ।