ରାଇରଙ୍ଗପୁର: ଅଭାବ ଅନଟନ ମଣିଷକୁ ନୂଆ ବାଟ ଦେଖାଇ ଥାଏ । ତେବେ ଅଭାବ ଅନଟନ ମଧ୍ୟରେ ସେମିତି କିଛି ନୂତନ ପ୍ରକଳ୍ପ ଉଦ୍ଭାବନ କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ବଡାମତଳିଆ ଗ୍ରାମର ଯୁବ ଚାଷୀ ମହୁର ଟିପିରିଆ । କିଛି ଅଦରକାରୀ ବୋତଲ, କିଛି ଖଣ୍ଡ ବାଉଁଶ ଏବଂ କିଛି ଅଦରକାରି କାଠ ପଟାରେ ତିଆରି କରିଛନ୍ତି ଏକ ପ୍ରକଳ୍ପ । ଯାହାକୁ ଦେଖିଲେ ବର୍ତ୍ତମାନର ଟେକ୍ନୋଲୋଜି ମଧ୍ୟ ଫେଲ୍ ମାରିବ । ଅଭାବ ମଧ୍ୟରେ ଥାଇ ମଧ୍ୟ ଦେଶୀ ଯୁଗାଡରେ ଏପରି ଏକ ନୂତନ ପ୍ରକଳ୍ପ ଉଦ୍ଭାବନ କରି ସେଥିରୁ ସେ ଅତି ସହଜରେ ସଳସେଚନ କରି ଚାଷ କାର୍ଯ୍ୟ ମଧ୍ୟ କରି ପାରୁଛନ୍ତି ।
ମହୁର ଟିପିରିଆ ଏକ ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ବର୍ଷରେ ୬ ମାସ ଖରିଫ ଫସଲ କରି ପରିବାର ପ୍ରତିପୋଷଣ କରନ୍ତି । ବାକି ୬ ମାସ ଜମିରେ ଜଳସେଚନର ସୁବିଧା ନଥିବାରୁ ଦାଦନ ଖଟିବାକୁ ଯାଇଥାନ୍ତି । କିନ୍ତୁ, ଏବେ ନିଜର ବୁଦ୍ଧି ଲଗାଇ ଏବଂ ପରିଶ୍ରମ ବଳରେ ନଦୀ ପାଣିକୁ ଚାଷ କାର୍ଯ୍ୟରେ ଉପଯୋଗ କରିପାରୁଛନ୍ତି । ସେଥିପାଇଁ ଦରକାର ପଡୁନାହିଁ ବିଜୁଳି ଶକ୍ତି, ସୌର ଶକ୍ତି କିମ୍ବା ଅନ୍ୟ କୌଣସି ଯନ୍ତ୍ରପାତି । କେଇ ଖଣ୍ଡ ପାଣି ବୋତଲ, କେତେ ଗୁଡିଏ ବାଉଁଶ ଏବଂ କେଇ ଖଣ୍ଡ କାଠ ପଟା ସାହାଯ୍ୟରେ ଉପକରଣଟିଏ ତିଆରି କରି ଚାଷ ଜମିରେ ଜଳ ସେଚନ କରି ପାରୁଛନ୍ତି । ଏଥିରେ ଧାନ, ସୋରିଷ , ଗହମ ଏବଂ ପନିପରିବା ଆଦି ଚାଷ କରୁଛନ୍ତି ଯୁବ ଚାଷୀ ମହୁର ଟିପିରିଆ । ସେପଟେ ଉକ୍ତ ପ୍ରକଳ୍ପକୁ କରଞ୍ଜିଆ ଉପଜିଲ୍ଲାପାଳ ଦେଖି ଯାଇଥିବା ବେଳେ ଆଗାମୀ ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ସମ୍ମାନିତ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଖବର ପାଇବା ପରେ ଉକ୍ତ ଚାଷୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ଓ ଏହି ଜ୍ଞାନ କୌଶଳ ବିଷୟରେ ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ଶିକ୍ଷା ଦିଆଯିବ ବୋଲି ମହିଳା ଚାଷୀ ଦୁର୍ଗା ରାଣୀ ସି ପ୍ରକାଶ କରିଛନ୍ତି ।
ମହୁର ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କ ପାଖରେ ପମ୍ପ ସେଟ କିଣିବା ପାଇଁ ସମ୍ବଳ ନାହିଁ । ଯାହା ଫଳରେ ନିଜର ଜ୍ଞାନ କୌଶଳ ଓ ପରିଶ୍ରମ ବଳରେ ଏହି ପ୍ରକଳ୍ପ ସମ୍ପାଦନ କରି ପାରିଛନ୍ତି । ନଦୀ ଭିତରେ ଇଲେକ୍ଟ୍ରି ଦୋଳିର ଭ୍ରମ ସୃଷ୍ଟି କରୁଥିବା ପ୍ରକଳ୍ପକୁ ଦେଖିବା ପାଇଁ ଏବେ ଲୋକଙ୍କ ଗହଳି ଲାଗୁଛି ଏବଂ ଯିଏ ଦେଖୁଛି ଘଡ଼ିଏ ଠିଆ ହୋଇ ଉପଭୋଗ କରୁଛି । ଏହାକୁ କୃଷି ବିଭାଗ ଅଧିକାରୀ ମଧ୍ୟ ତାରିଫ କରିଛନ୍ତି । ଅନ୍ୟପଟେ କରଞ୍ଜିଆ ଉପଜିଲ୍ଲାପାଳ ମଧ୍ୟ ମହୁର ଟିପିରିଆଙ୍କ ଜ୍ଞାନ କୌଶଳ ଯୋଗୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ଉକ୍ତ ଜ୍ଞାନ କୌଶଳ ଦ୍ବାରା ଅନ୍ୟ ଚାଷୀ ମାନେ କିପରି ଉପକୃତ ହୋଇପାରିବେ ସେନେଇ ହୋର୍ଟିକଲଚର ଅଫିସରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।