ରାଇରଙ୍ଗପୁର:ନାଲିପାଣି କଲା କିମିଆ । ନିଶାରେ ଟ୍ରେନ ସିଗନାଲ ଦେବା ପାଇଁ ଭୁଲିଗଲେ ବାବୁ । ନିଦରେ ଶୋଇପଡିଲେ ରେଲଓ୍ବେ ଫାଟକରେ ଥିବା ଜଗୁଆଳି । ଫଳରେ ସିଗନାଲ ନପାଇ ଦୀର୍ଘ ସମୟ ଧରି ଅଟକି ରହିଲା ଟ୍ରେନ । ଶେଷରେ ଟ୍ରେନ ପାଇଲଟ ଓହ୍ଲାଇ ସିଗନାଲ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର ଯୁଗପୁରା ଷ୍ଟେସନ ନିକଟସ୍ଥ ରେଲୱେ କ୍ରସିଂରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ଖବର ପ୍ରଘଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗଷ ଶେଷରେ ରେଲଓ୍ବେ ଫାଟକ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି । ଉକ୍ତ କର୍ମଚାରୀ ହେଲେ ରତ୍ନାକର ମହାନ୍ତ ।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବାଙ୍ଗିରିପୋଷି- ରୁପ୍ସା ମେମୁ ଟ୍ରେନ ଦିନ ପାଖାପାଖି 9.00 ଟା ସମୟରେ ଯୁଗପୁରା ରେଳ ଷ୍ଟେସନରେ ପହଞ୍ଚିଥିଲା । ରେଲୱେ କ୍ରସିଂରେ ଟ୍ରେନ ପହଞ୍ଚିବା ପରେ କୌଣସି ସିଗନାଲ ଦେଇନଥିଲେ କିମ୍ବା ଗେଟ୍ ମଧ୍ୟ ପକାଇ ନଥିଲେ ଫାଟକ ଦାୟିତ୍ଵରେ ଥିବା କର୍ମଚାରୀ । ଟ୍ରେନ ଆସିବା ପରେ ମଧ୍ୟ ଫାଟକ ନପଡ଼ିବା ଦେଖି ଉକ୍ତ ରାସ୍ତାରେ ଯାଉଥିବା ଶତାଧିକ ଲୋକେ ଭୟଭୀତ ହୋଇ ଯାଇଥିଲେ । ଫଳରେ ଫାଟକର ଦୁଇ ପାର୍ଶ୍ଵରେ ବାଇକ, ଗାଡ଼ି, ମଟର ସହିତ ସାଧାରଣ ଲୋକେ ମଧ୍ୟ ଅଟକି ଯାଇଥିଲେ। କିଛି ସମୟ ପରେ ସେହି ଲାଇନରେ ଆସୁଥିବା ଟ୍ରେନର ଡ୍ରାଇଭର ଫାଟକ ପଡିନଥିବା ଦେଖି ଟ୍ରେନର ବେଗକୁ ନିୟନ୍ତ୍ରଣ କରି ଟ୍ରେନକୁ ଅଟକାଇ ଦେଇଥିଲେ । କିଛି ସମୟ ଟ୍ରେନ ଅଟକାଇବା ପରେ ମଧ୍ୟ ସିଗନାଲ ମିଳିନଥିଲା । ଏହାପରେ ବାଧ୍ୟ ହୋଇ ନିଜେ ଟ୍ରେନ୍ରୁ ଓହ୍ଲାଇ ଆସି ଫାଟକ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ବାବୁ ଜଣକ ନିଶାରେ ଶୋଇପଡିଥିବା ଦେଖିବାକୁ ପାଇଥିଲେ । ଫଳରେ ସେ ନିଜେ ଟ୍ରେନର ସିଗନାଲ ଦେଇ ଯାଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ସ୍ଥାନୀୟ ଲୋକେ ସେଠାରେ ଅସନ୍ତୋଷ ପ୍ରକାଶ କରିଥିଲେ।