ଓଡିଶା

odisha

ETV Bharat / state

ସନ୍ଦେହଜନକ ଅବସ୍ଥାରେ ପୂର୍ବତନ ମହିଳା ସରପଞ୍ଚଙ୍କ ମୃତଦେହ ଉଦ୍ଧାର - ମଢେଇକଚା ସମିତି ସଭ୍ୟ

ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ପୂର୍ବତନ ମହିଳା ସରପଞ୍ଚଙ୍କ ମୃତଦେହ । ମୃତଦେହ ବ୍ୟବଚ୍ଛେଦ ପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

ପୂର୍ବତନ ମହିଳା ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୂର୍ବତନ ମହିଳା ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : May 28, 2023, 10:51 PM IST

ରାଇରଙ୍ଗପୁର :ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଜଣେ ପୂର୍ବତନ ମହିଳା ସରପଞ୍ଚଙ୍କ ମୃତଦେହ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇହରି ଗ୍ରାମରେ‌ । ମୃତ ମହିଳା ଜଣକ ହେଲେ ରାଇହରି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୀର୍ଥ ସୋରେନ । ଗୀର୍ଥଙ୍କ ବୟସ 40 ବର୍ଷ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ସମୟରେ ଘରେ କେହି ନ ଥିବାବେଳେ ପୂର୍ବତନ ମହିଳା ସରପଞ୍ଚ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ ଘରକୁ ଆସିବା ପରେ ଏକ ଓଢ଼ଣୀ ସାହାଯ୍ୟରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଏ ସମ୍ପର୍କରେ ପରିବାର ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏହାସହିତ ରବିବାର ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା ପୋଲିସ।

ରାଇରଙ୍ଗପୁର ମେଡିକାଲରେ ବ୍ୟବଚ୍ଛେଦ ପରେ ପୋଲିସ ମହିଳାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ପୂର୍ବରୁ ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତରେ ଦୀର୍ଘ ୧୦ ବର୍ଷ ଧରି ସରପଞ୍ଚ ଭାବେ ଦାୟିତ୍ବ ତୁଲାଇଛନ୍ତି ଗୀର୍ଥ ସୋରେନ । ଅଞ୍ଚଳରେ ଗୀର୍ଥଙ୍କ ବେଶ ଲୋକପ୍ରିୟତା ରହିଥିଲା । ଜଣେ ସମାଜସେବୀ ତଥା ଦକ୍ଷ ସରପଞ୍ଚ ଭାବେ ମଧ୍ୟ ସେ ଦାୟିତ୍ବ ନିର୍ବାହ କରିଛନ୍ତି । ଦୁଇ ଦୁଇ ଥରେ ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିଥିଲେ ଗୀର୍ଥ ସୋରେନ ।

ଏହାସହ ମଢେଇକଚା ଗ୍ରାମପଞ୍ଚାୟତରେ ୫ ବର୍ଷ ପର୍ଯ୍ୟନ୍ତ ସମିତି ସଭ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ରାଇହରି ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ତାଙ୍କ ମୃତ୍ୟୁରେ ରାଇହରି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ କେଉଁ ପରିସ୍ଥିତିରେ ଜଣେ ସମାଜସେବୀ ତଥା ଜଣେ ଲୋକପ୍ରିୟ ଜନପ୍ରତିନିଧି ଆତ୍ମହତ୍ୟା କଲେ ତାକୁ ନେଇ ସନ୍ଦେହ ଉପୁଜିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ସେପଟେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାରଲୋକ ଓ ଗ୍ରାମବାସୀ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details