ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ସରକାରୀ ସୁବିଧାରୁ ବଞ୍ଚିତ ମାଛଚାଷୀ

ମୟୂରଭଞ୍ଜ ଜିଲ୍ଲାରେ ମାଛ ଚାଷୀଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jun 5, 2019, 10:32 AM IST

ମୟୂରଭଞ୍ଜ: ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି ମାଛ ଚାଷୀଙ୍କ ପାଇଁ ମଧ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ଯୋଜନାର ସୁଫଳ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି ମୟୂରଭଞ୍ଜର ମାଛଚାଷୀ ।

ମାଛ ଚାଷ ପ୍ରତି ଚାଷୀଙ୍କର ଦିନକୁ ଦିନ ଆଗ୍ରହ ବଢୁଥିବାବେଳେ ମାଛ ଉତ୍ପାଦନରେ ରାଜ୍ୟର ପଞ୍ଚମ ସ୍ଥାନରେ ରହିଛି ମୟୂରଭଞ୍ଜ ଜିଲ୍ଲା । ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ମାଛ ଚାଷ ପ୍ରତି ଆଗ୍ରହ ବଢିଥିବାବେଳେ ଚାଷୀ ଧାନ ଚାଷ ଛାଡି ମାଛ ଚାଷ ପ୍ରତି ମନ ବଳାଉଛନ୍ତି । ତେବେ ମାଛ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମିଳୁନି ସୁବିଧା ସୁଯୋଗ । ମାଛ ଚାଷୀ ବିଭିନ୍ନ ସମୟରେ ବ୍ୟାଙ୍କ ଋଣ ହେଉ ଅବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ହତାଶ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅନ୍ୟପଟେ ଜିଲ୍ଲାର ୨୬ଟି ବ୍ଳକରୁ ବେତନଟୀ ବ୍ଲକରେ ସର୍ବାଧିକ ମାଛଚାଷୀ ଥିବାବେଳେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ମାଛ ଚାଷୀ । ମାଛ ଚାଷୀଙ୍କ ପାଇଁ ଜାଆଁଳ, ବିଦ୍ୟୁତ, ମାଛ ମେଡ଼ିସିନ, ବ୍ୟାଙ୍କ ଋଣ, ମାଛ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ବଜାର ସୃଷ୍ଟି କରିବା ପାଇଁ ଦାବି କରାଯାଇଛି । ତେବେ ବେତନଟୀ ବ୍ଲକ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଥିବାବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ବର ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି । ବାଲେଶ୍ବର ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ମତ୍ସ୍ୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ କୃଷି ମନ୍ତ୍ରୀ ଓ ପ୍ରଶାସନକୁ ମାଛ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ।

ଚଳିତ ବର୍ଷ ଜିଲ୍ଲା ମତ୍ସ୍ୟ ବିଭାଗ ଆଶା ରଖିଛି ୨୭୦୦୦ ମେଟ୍ରିକ ଟନ ମାଛ ଉତ୍ପାଦନ ହେବ ବୋଲି । ତେବେ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details