ରାଇରଙ୍ଗପୁର:ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିକଟରେ ୨୨ ଟିକିଆ ହାତୀପଲ ଆତଙ୍କ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଦୁଇଦିନ ହେବ ହାତୀ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ କରଞ୍ଜିଆ ରେଞ୍ଜରେ ପଳେଇଢୁଡା ଗ୍ରାମ ନିକଟରେ ସନ୍ଧ୍ୟାରେ ହାତୀ ରହୁଥିବା ବେଳେ ସନ୍ଧ୍ୟା ସମୟରେ ହାତୀପଲ କେନ୍ଦୁଝର ଜିଲ୍ଲାର ସାହାରପଡାରେ ଆତଙ୍କ ରଚୁଛନ୍ତି । ସାହାରପଡ଼ାର ବୁଢ଼ାବଣ, ସରଣୀବେଡ଼ା, ଭଗାବିଲା, ଦିଗିପଶି, ଗମ୍ବାନାଳି ଏବଂ ବ୍ରହ୍ମାଣୀବେଡ଼ା ଗ୍ରାମ ନିକଟରେ ହାତୀପଲ ରହୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଦୁଇଦିନ ହେଲାଣି କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୫୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ଏହି ୨୨ ଟିକିଆ ହାତୀପଲ। ଦିନ ବେଳେ ଜଙ୍ଗଲ ଭିତରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଚାଲି ଆସୁଛନ୍ତି । ତେବେ ଗାଁ ନିକଟରେ ଥିବା ଚାଷଜମିକୁ ଦଳଚକଟି ନଷ୍ଟ କରିବା ସହ ଧାନ ଖାଇଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କେତେକ ସ୍ଥାନରେ ହାତୀ ପଲ ଗାଁ ମଧ୍ୟକୁ ପଶି ଘର ଦ୍ବାର ଭାଙ୍ଗି ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି ।
ସ୍ଥାନୀୟ ବାସିନ୍ଦା କହିଛନ୍ତି, ସନ୍ଧ୍ୟା ପରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହେଉଛି । କେତେବେଳେ ଯେ ବଣୁଆ ହାତୀ ହାବୁଡ଼ରେ ପଡି ଧନ ଜୀବନ ନଷ୍ଟ ହୋଇଯିବ ତାହା କହି ହେବନାହିଁ । ସେପଟେ ହାତୀ ପାଇଁ ଅନେକ ସମୟରେ ବିଜୁଳି କାଟ ମଧ୍ୟ କରାଯାଇଛି । ଯାହା ଫଳରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ । ଜମି ସହ ଘର ଦ୍ବାର ନଷ୍ଟ କରୁଛନ୍ତି ହାତୀପଲ । ସେମାନଙ୍କୁ ନଘଉଡାଇଲେ ଆଗକୁ ଧନଜୀବନ ହାନୀ ଘଟିବା ନେଇ ଗ୍ରାମବାସୀ ଆଶଙ୍କା କରିଛନ୍ତି ।