ଓଡିଶା

odisha

By

Published : Feb 16, 2022, 3:38 PM IST

ETV Bharat / state

ଗୁରୁ ଦର୍ଶନ ଦିବସରେ ଦୁଲୁକିଲା ଦାଣ୍ଡବୋଷ, ପଣ୍ଡିତ ରଘୁନାଥଙ୍କ ଦର୍ଶନ ପାଇଁ ପଡୋଶୀ ରାଜ୍ୟରୁ ଛୁଟୁଛି ସୁଅ

ଆଜି ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ତିରୋଧାନ ଦିବସକୁ ଗୁରୁ ଦର୍ଶନ ଦିବସ ଭାବେ ପାଳୁଛି ଆଦିମ ଜନଜାତି ସମ୍ପ୍ରଦାୟ । ଏହି ଅବସରରେ ପ୍ରତିବର୍ଷ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷ ଗ୍ରାମର କପିଡୁଙ୍ଗୁରି ଠାରେ ଆଦିବାସୀଙ୍କ ଦ୍ବାରା ଏହି ଦିବସ ପାଳିତ ହୋଇ ଆସୁଛି। ଅଧିକ ପଢ଼ନ୍ତୁ

death anniversary celebrate  of pandit raghunath murmu in mayurbhanj
ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଦାଣ୍ଡବୋଷ ଗ୍ରାମର କପିଡୁଙ୍ଗୁରି ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଛି ଗୁରୁ ଦର୍ଶନ ଦିବସ। ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମୃତି ଚାରଣ ନିମନ୍ତେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ଆଦିବାସୀ ସମ୍ପ୍ରଦାୟର ଲୋକେ ଉତ୍ସବକୁ ପାଳନ କରିଛନ୍ତି। ଏହି ଅବସରରେ ଓଡ଼ିଶା ତଥା ବାହାର ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଛୁଟି ଆସିଥାନ୍ତି।

ପଣ୍ଡିତ ରଘୁନାଥଙ୍କ ଦର୍ଶନ ପାଇଁ ପଡୋଶୀ ରାଜ୍ୟରୁ ଛୁଟୁଛି ସୁଅ

ତେବେ ସ୍ବର୍ଗତ ଶ୍ରୀ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନରେ ତାଙ୍କ ତିରୋଧାନ ଦିବସକୁ ଗୁରୁ ଦର୍ଶନ ଦିବସ ଭାବେ ଆଦିବାସୀମାନେ ପାଳନ କରି ଆସୁଛନ୍ତି। ୧୯୦୫ ମସିହା ମଇ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଅଧିନ ଦାଣ୍ଡବୋଷ ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ ଜନ୍ମଗ୍ରହଣ କରିଥିଲେ। ସେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ଥିଲେ। ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଅଲଚିକି ଲିପିର ଜନକ ବୋଲି କୁହାଯାଏ। ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭଗବାନ ସଦୃଶ୍ୟ।

ଆଦରରେ ତାଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ "ଗୁରୁ ଗୋମକେ" ବୋଲି ମଧ୍ୟ ଡାକିଥାନ୍ତି। ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ବ୍ୟବହାର କରାଯାଇଥିଲା। ସାନ୍ତାଳୀ ଜନଜୀବନ ରେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର ରାଜ୍ୟର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ସ୍ବର୍ଗତ ମୁର୍ମୁ ଙ୍କ ସ୍ମୃତି ରେ ପଶ୍ଚିମବଙ୍ଗ ର ବାଙ୍କୁଡା ଜିଲ୍ଲା ଜାମବଣୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦ ଠାରେ କଲ୍ୟାଣୀ ବିଶ୍ବ ବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାର ଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଛି। ଓଡିଶା ସରକାର ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜ କୁ ତାଙ୍କ ନାଁରେ ନାମିତ କରି "ପଣ୍ଡିତ ରଘୁନାଥ ମୁର୍ମୁ ଆଣ୍ଡ ମେଡିକାଲ କଲେଜ" ରଖିଛନ୍ତି।

୧୯୮୨ ମସିହା ମାଘ ସପ୍ତମୀ ରେ ତାଙ୍କର ତିରୋଧାନ ପରେ ୧୯୮୩ ମସିହା ପାଖରୁ ମାଘ ମାସ ଅଷ୍ଟମୀ ତିଥିରୁ ମାଘ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗୁରୁ ଦର୍ଶନ ଦିବସ ପାଳିତ ହୋଇ ଆସୁଥିଲା କିନ୍ତୁ ଦୀର୍ଘ ୩୮ ବର୍ଷ ହେବ ମାଘ ମାସର ପୂର୍ଣ୍ଣିମା ତିଥିରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଗୁରୁ ଦର୍ଶନ ଦିବସ ପାଳନ କରି ଆସୁଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦାଣ୍ଡବୋଷ ଗ୍ରାମ କପିଡୁଙ୍ଗୁରି ଠାରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କର ସ୍ମୃତିଚାରଣ କରି ସମାଧି ପୀଠରେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ନାତି ତଥା "ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱା" ଅନୁଷ୍ଠାନ ସଭାପତି ଭୀମୱାର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୬.୦୦ ସମୟରୁ ସନ୍ଧ୍ୟା ୬.୦୦ ସମୟ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସାନ୍ତାଳୀ ପରମ୍ପରା ଅନୁସାରେ ଧାର୍ମିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ହୋଇଥିଲା। ଏହି ଗୁରୁ ଦର୍ଶନ ଦିବସ ସାନ୍ତାଳୀ ଭାଷା ରେ "ମାଘ ବୋଙ୍ଗା ବୁରୁ କୁନାମି ବୁରୁ ହିରି ବୁରୁ ନେପେଲ" ନାମରେ ମଧ୍ୟ ସୁପରିଚିତ। ଜାମଶେଦପୁର ଟାଟା ଷ୍ଟିଲର ଟ୍ରାଇବାଲ କଲଚରାଲ ସୋସାଇଟିର ସହଯୋଗରେ ଅନୁଷ୍ଠିତ ଗୁରୁ ଦର୍ଶନ ଦିବସ ରେ ଓଡିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ସାନ୍ତାଳୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ସ୍ବର୍ଗତ ମୁର୍ମୁଙ୍କ ସମାଧୀ ପୀଠ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତି ପାଇଁ ଯୋଗ ଦେଇଥିଲେ। ତେବେ ଚଳିତ ବର୍ଷ ମଧ୍ୟ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ସାନ୍ତାଳୀ ଭାଷା ଅଲଚିକି ଲିପିର ସ୍ରଷ୍ଟା ତଥା ସାନ୍ତାଳୀ ସମାଜର ଭାଷା, ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅତୁଳନୀୟ ତ୍ୟାଗ, ଅବଦାନ ଓ ସ୍ମୃତି ଉଦ୍ଦେଶ୍ୟରେ ସେହି ମାର୍ଗରେ ଅଗ୍ରସର ହେବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details