ଓଡିଶା

odisha

ETV Bharat / state

ଟିକା ପାଇଁ ଡାକ୍ତରଖାନା ପରିସରରେ ଠେଲାପେଲା, ରାତି ୨ଟାରୁ ଲାଗୁଛି ଲମ୍ବା ଲାଇନ୍ - covid vaccination

ଟିକା ପାଇଁ ହସ୍ପିଟାଲ ପରିସରରେ ନାହିଁନଥିବା ଭିଡ । ଦିନକୁ ୫୦୦ ଜଣକୁ ଟିକା ଦେବାର ନିୟମ ଥିବା ବେଳେ ଅଧିକ ସଂଖ୍ୟାରେ ଲୋକେ ଟିକା ନେବାକୁ ଟୀକାକରଣ କେନ୍ଦ୍ରରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଟିକା ପାଇଁ ଡାକ୍ତରଖାନା ପରିସରରେ ପ୍ରବଳ ଭିଡ଼, ଅଧିକ ଡୋଜ୍ ଟିକା ଦାବିକଲେ ଅଞ୍ଚଳବାସୀ
ଟିକା ପାଇଁ ଡାକ୍ତରଖାନା ପରିସରରେ ପ୍ରବଳ ଭିଡ଼, ଅଧିକ ଡୋଜ୍ ଟିକା ଦାବିକଲେ ଅଞ୍ଚଳବାସୀ

By

Published : Sep 6, 2021, 4:24 PM IST

ରାଇରଙ୍ଗପୁର: ଟିକା ପାଇଁ ଠାକୁରମୁଣ୍ଡା ମେଡିକାଲ ପରିସରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ତେବେ ବ୍ଲକରେ ଅଧିକ ପରିମାଣରେ ଟିକା ଯୋଗାଇ ଦେବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକରେ କୋଭିଡ ଭ୍ୟାକ୍ସିନ ପ୍ରଥମ ଓ ଦିତୀୟ ଡୋଜ ପାଇଁ ପ୍ରବଳ ମାତ୍ରାରେ ଜନଗହଳି ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ରାତି ୨ଟାରୁ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ବେଳେ ସକାଳୁ ପ୍ରବଳ ଜନ ଗହଳି ସହ ଟୋକନ୍ ପାଇଁ ଲୋକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଟିକା ପାଇଁ ଡାକ୍ତରଖାନା ପରିସରରେ ପ୍ରବଳ ଭିଡ଼, ଅଧିକ ଡୋଜ୍ ଟିକା ଦାବିକଲେ ଅଞ୍ଚଳବାସୀ

ତେବେ ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ନାରାଜ ହେଉଥିଲେ କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତ୍ୟକ ଦିନ ହଜାରେରୁ ଊର୍ଦ୍ଧ୍ବ ଲୋକେ ଟିକା ନେବା ପାଇଁ ୨୦ରୁ ୩୦ କିମି ଦୂର ଦୁରାନ୍ତରୁ ଆସୁଛନ୍ତି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ । ଏହି ବ୍ଲକର ପଡିଆବେଡା ଓ ଚମ୍ପାଝର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଟୀକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି । ଯାହା ଫଳରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରବଳ ଭିଡ ଦେଖାଦେଇଛି । ବର୍ତ୍ତମାନ ପ୍ରଶାସନ ଦିନକୁ ୪ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ଯ୍ୟ କରିଥିବା ବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ଭୋର ୩ଟାରୁ ଡାକ୍ତରଖାନା ଫାଟକ ସମ୍ମୁଖରେ ଲମ୍ବା ଲାଇନ୍ ଲଗାଇଛନ୍ତି ।

ତେବେ ଗ୍ରାମାଞ୍ଚଳ ଗୁଡିକରେ ମୋବାଇଲ ଟାୱାର ନଥିବାରୁ ଅନଲାଇନ୍ ପଞ୍ଜିକୃତ ହୋଇ ପାରୁ ନଥିବା ନେଇ ଟିକା ଆଶାୟୀମାନେ ସୂଚନା ଦେଇଛନ୍ତି । ଯାହା ଫଳରେ ପ୍ରମାଣ ପତ୍ର ମିଳିବାରୁ ଲୋକେ ବଞ୍ଚିତ ହେବାର ଭୟ ମଧ୍ୟ ରହିଛି । ସେପଟେ ଠାକୁରମୁଣ୍ଡା ମେଡିକାଲ ପରିସରରେ ପ୍ରତ୍ୟେକ ଦିନ ଭୋରରୁ ଶହଶହ ଲୋକେ ଟିକା ନେବାପାଇଁ ଲମ୍ବାଧାଡି ଲଗାଉଛନ୍ତି । ଯାହାରି ମଧ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ଏବଂ ଗର୍ଭବତୀ ମାଆ ମଧ୍ୟ ରହିଛନ୍ତି । ତେବେ ଟିକା ନେବା ପାଇଁ ଆଶାୟୀ ଲୋକଙ୍କ ସଂଖ୍ୟା ହଜାରେରୁ ଊର୍ଦ୍ଧ୍ଵ ରହୁଥିବା ବେଳେ ୫୦୦ଜଣଙ୍କୁ ଟିକା ଦିଆ ଯାଉଛି ।

ଆଉ ଏନେଇ ଅନ୍ୟମାନେ ନିରାଶ ହୋଇ ନିଜ ଗ୍ରାମକୁ ଫେରି ଯାଉଛନ୍ତି । ତେଣୁ ଠାକୁରମୁଣ୍ଡା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇଦେବା ସହ ପ୍ରତ୍ୟେକ ପଞ୍ଚାୟତ ଗୁଡିକରେ କ୍ୟାମ୍ପ କରି ଟିକା ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି । ତେବେ ଏହି ଟୀକାକରଣ ସମସ୍ୟାକୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ. ଦିବାକର ମାଝୀଙ୍କ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details