ଓଡିଶା

odisha

ETV Bharat / state

‘କଂଗ୍ରେସ-ଜେଏମଏମ ମେଣ୍ଟ ପକ୍କା, ମୟୂରଭଞ୍ଜ ଲୋକସଭାରୁ ଲଢ଼ିବେ ଅଞ୍ଜଳି ସୋରେନ’

ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିବେ ଶିବୁ ସୋରେନଙ୍କ ଝିଅ ଅଞ୍ଜଳୀ ସୋରେନ । ରାଜ୍ୟରେ ଜେଏମଏମ-କଂଗ୍ରେସ ମେଣ୍ଟ ନିଶ୍ଚିତ । ସ୍ପଷ୍ଟ କଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ ସୋରେନ ।

By

Published : Mar 11, 2019, 12:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ) ମଧ୍ୟରେ ମେଣ୍ଟ ହେବ । ବାରିପଦା ଠାରେ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ଜେଏମଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏହି ଅବସରରେ ମୟୂରଭଞ୍ଜ ଲୋକସଭା ଆସନରୁ ଅଞ୍ଜଳି ସୋରେନଙ୍କୁ ପ୍ରାର୍ଥୀ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଆଜି ବାରିପଦାର ଏକ ଘରୋଇ ହୋଟେଲରେ ଜେଏମଏମର ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ନିର୍ବାଚନ ଲାଗି ଦଳ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିଛି । ଏଥିରେ ଯୋଗଦେଇ ହେମନ୍ତ ସୋରେନ କହିଛନ୍ତି ଯେ ରାଜ୍ୟରେ ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦଳର ପ୍ରଭାବ ରହିଛି । ତେଣୁ ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ସହ ମେଣ୍ଟ କରି ଦଳ କିଛି ଲାଭ ପାଇବାର ଆଶା ରଖିଛି । ଇତିମଧ୍ୟରେ ମୟୂରଭଞ୍ଜ ଲୋକସଭାକୁ ନେଇ ବୁଝାମଣା ସରିଥିବା ବେଳେ କେବଳ ବିଧାନସଭା ଆସନ ଗୁଡ଼ିକୁ ନେଇ କଥା ଛିଣ୍ଡିନି । ତେବେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଜଣାଇଛନ୍ତି ଜେଏମଏମ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ସୂଚନାଯୋଗ୍ୟ, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଅଞ୍ଚଳରେ ଜେଏମଏମର ଭଲ ଭୋଟ ରହିଛି । ତେବେ 2014 ନିର୍ବାଚନ ବେଳେ ଦଳର ଟାଣୁଆ ନେତା ସୁଦାମ ମାରାଣ୍ଡି ଦଳ ଛାଡି଼ ବିଜେଡିରେ ଯୋଗ ଦେଇଥିଲେ । ଏଥିଯୋଗୁଁ ଦଳର ଭୋଟବ୍ୟାଙ୍କ ବିଭାଜିତ ହୋଇଯାଇଥିଲା ଏବଂ ଜେଏମଏମ ଗୋଟିଏ ବି ଆସନ ଜିତି ପାରିନଥିଲା । ତେବେ ଚଳିତ ଥର କଂଗ୍ରେସ ସହ ମେଣ୍ଟ ଏବଂ ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜଳି ସାଂସଦ ପ୍ରାର୍ଥୀ ହେବା ଭଲ ଫଳ ଆଣିବ ବୋଲି ରାଜ୍ୟ ନେତୃତ୍ବ ଆଶାବାଦୀ ଅଛନ୍ତି ।

ଏହି ଅବସରରେ ଜେଏମଏମ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଜିଲ୍ଲା ସଭାପତି ଫାଗୁ ହାସଁଦା, ବହଡାଗୋଡ଼ା ବିଧାୟକ କୁନାଲ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟର ଵିଭିନ୍ନ ଜିଲ୍ଲାରୁ ମଧ୍ୟ ଶହ ଶହ କର୍ମୀ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details