ଓଡିଶା

odisha

ଛଠ ପର୍ବ: ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତଧାରୀଙ୍କ ପୂଜା ସମ୍ପନ୍ନ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଛଠ ପୂଜା ଧୂମଧାମରେ ପାଳନ ହୋଇଛି । ନଦୀକୂଳ ତଥା ଜଳାଶୟରେ ପ୍ରଭାତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ପୂଜା ଶେଷ କରିଛନ୍ତି ।

By

Published : Nov 3, 2019, 12:05 PM IST

Published : Nov 3, 2019, 12:05 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ରାଉରକେଲା/ରାଇରଙ୍ଗପୁର: ଆସ୍ଥା ଓ ବିଶ୍ବାସର ପର୍ବ ଛଠ ପୂଜା । ବିଶେଷ କରି ବିହାର ତଥା ଉତ୍ତରପ୍ରଦେଶର ଏହା ହେଉଛି ପ୍ରମୁଖ ପର୍ବ । ଏହି ପର୍ବକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରିଛନ୍ତି ଛଠ ବ୍ରତାଧାରୀ । 4 ଦିନ ଧରି ପାଳିତ ହେଉଥିବା ଏହି ପର୍ବ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଚାଲିଥାଏ ।

ଭିଡିଓ ସୌଜନ୍ୟ: ପ୍ରତିିନିଧି, ରାଇରଙ୍ଗପୁର

ଏହି କ୍ରମରେ ସକାଳୁ ଘନ କୁହୁଡି ସତ୍ତ୍ବେ ବ୍ରତାଧାରୀମାନେ ନିଜ ପରିବାର ସହ ନଦୀକୂଳରେ ପ୍ରଭାତର ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜାର୍ଚ୍ଚନା କରିଛନ୍ତି । ପୂଜା ପାଇଁ ସହରର ବ୍ରାହ୍ମଣୀ ନଦୀର ବାଲୁଘାଟ, କୋଏଲ ନଦୀର ଝରିପାଣି, ତୁମକେଲା ଘାଟ, ଡିଏଭି ପୋଖରୀ ଆଦି ସ୍ଥାନରେ ଛଟ୍‌ ପାଳନ କମିଟି ପକ୍ଷରୁ ନଦୀ ଘାଟ ସଫା କରିବା ସହ ଆଲୋକର ବ୍ୟବସ୍ଥା କରାଯାଇଥିଲା । ଅପରପକ୍ଷେ ବିଶ୍ରା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ସହିତ ଜିଲ୍ଲାର ସବୁ ଭାଗରେ ମଧ୍ୟ ଛଟ୍ ପର୍ବ ପାଳନ ହୋଇଯାଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଖଡଖାଇ ନଦୀ କୂଳରେ ବିହାରୀ ସମ୍ପ୍ରଦାୟର ଲୋକ ତଥା ହିନ୍ଦୀ ଭାଷାଭାଷୀ ଲୋକେ ବେଶ ଉତ୍ସାହ ସହକାରେ ପାଳନ କରିଛନ୍ତି ଛଠ ପୂଜା । ରାଇରଙ୍ଗପୁରରେ ୧୯୯୪ ମସିହାରୁ ଛଟ୍ ପୂଜା କମିଟି ଗଠନ କରି ଧୂମଧାମରେ ଏହି ପୂଜା ପାଳନ କରୁଥିବାବେଳେ ଚଳିତବର୍ଷ ମଧ୍ୟ ଧୂମଧାମରେ ପାଳନ କରିଛନ୍ତି । ଏନେଇ ରାଇରଙ୍ଗପୁର ସହରର ଖଡଖାଇ ନଦୀ କୂଳରେ ବେଶ୍ ଗହଳି ପରିଲକ୍ଷିତ ହୋଇଛି । ଫୁଲ, ଦୁବ, ଫଳମୂଳ, ଧୂପ, ଦୀପ ଆଦି ଦେଇ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହିତ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଛନ୍ତି ଶ୍ରଦ୍ଧାଳୁ । ଏହି ପବିତ୍ର ଦିନରେ ସୂର୍ଯ୍ୟଙ୍କୁ ଉପାସନା ପୂଜାର୍ଚ୍ଚନା କଲେ ଛଠ ମାତା ପ୍ରସନ୍ନ ହେବା ସହ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ବିଶ୍ବାସ ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details