ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲର ବହୁ ଚର୍ଚ୍ଚିତ ମୋରମ ଚାଲାଣ ଘଟଣାରେ ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଗିରଫ ଦାବି କରିଛି ବିଜେପି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ବୈଶିଙ୍ଗା ଥାନାରେ ଧାରଣା ଦିଆଯାଇଛି । ଜିଲ୍ଲାର ବାରିପଦା, ସାରସକଣା, ବଡ଼ସାହି ବିଜେପିର ନେତା ଓ ବିଧାୟକ ଯୋଗ ଦେବାସହ ଲଘୁଖଣିଜ ପଦାର୍ଥ ଚୋରା କାରବାରରେ ସମ୍ପୃକ୍ତ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛନ୍ତି ।
ବେତନଟୀ ମୋରମ ଚାଲାଣ ଘଟଣା: ପୂର୍ବତନ ତହସିଲଦାରଙ୍କ ଗିରଫ ଦାବିରେ ବିଜେପିର ଧାରଣା ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖ ଭୋର ୪ଟା ସମୟରେ ବଡ଼ସାହି ଅଂଚଳର ମୋରମ ଗାଡି ମାଲିକଙ୍କ ଠାରୁ ଦଲାଲ ଅଭିଜିତ ମୋହଲଙ୍କ ମାଧ୍ୟମରେ ୬ ହଜାର ଟଙ୍କା ତହସିଲଦାର ଲୁଟିନେବା ସହ ଟଣା ଘୋଷରା କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ୨୧ ତାରିଖ ଦିନ ମାଫିଆ ସହାୟତାରେ ଗାଡି ଛାଡିବା ନେଇ ତହସିଲଦାର ୧ ଲକ୍ଷ ଟଙ୍କା ଡିଲ କରୁଥିବାର ଏକ ଅଡିଓକୁ ନେଇ ବୈଶିଙ୍ଗା ଥାନାରେ ଅଭିଯୋଗ ଆଣିଥିଲେ ଗାଡି ମାଲିକ ।
ସେପଟେ ଗାଡି ଅଟକାଇବାର ୨ ଦିନ ପରେ ୨୨ତାରିଖ ଦିନ ତହସିଲଦାର ଗାଡି ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିଲେ ହେଲେ ବିଳମ୍ବିତ ଅଭିଯୋଗ ତହସିଲଦାରଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଥିଲା। ସେପଟେ ପୋଲିସ ଦୁଇ ପକ୍ଷର ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରି ୩ଜଣକୁ ଗିରଫ କରିବା ସହ ନିଲମ୍ବିତ ତହସିଲଦାର ଅନିଶା ଦାସ ଓ ଗାଡି ମାଲିକ ଶ୍ରୀକାନ୍ତ ଦାସଙ୍କ ବୟାନ ମଧ୍ୟ ରେକର୍ଡ କରିଛି।
ଏହାପରେ ୨୩ ତାରିଖ ଦିନ ବିବାଦ ଘେରକୁ ଆସିଥିବା ତହସିଲଦାର ଅନିଶା ଦାସଙ୍କୁ ପ୍ରଶାସନିକ ଆଳ ଦେଖାଇ କଳାହାଣ୍ଡି ଡେପୁଟି କଲେକ୍ଟର ଭାବରେ ବଦଳି କରାଯାଇଥିଲା। ହେଲେ ଅଡିଓକୁ ନେଇ ଅଧିକ ବିବାଦରେ ଛନ୍ଦି ହୋଇଯାଇଥିଲେ ପୂର୍ବତନ ତହସିଲଦାର ଅନିଶା । ତେବେ ବିବାଦ ବଢ଼ିବାରୁ ତାଙ୍କୁ ମଧ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ସରକାର। ବେତନଟୀ ଏସଡିପିଓଙ୍କ କହିବା ଅନୁସାରେ ତହସିଲଦାରଙ୍କ ମାଫିଆ ସମ୍ପୃକ୍ତି ନେଇ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡିଛି । ତେବେ ତଦନ୍ତ ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ