ଯାଜପୁର: ଆଜି ବିଶ୍ବ ଯୋଗ ଦିବସ । ଯୋଗ ମୁଦ୍ରାରେ ଗାଁଠୁ ଗ୍ଲୋବ । ଆଉ ଏଥିରୁ ବାଦ ପଡିନି ରାଜ୍ୟର କୌଣସି ବି ଜିଲ୍ଲା । ମୟୁରଭଞ୍ଜ, ଯାଜପୁର ଓ ସମ୍ବଲପୁରରେ ନିଆରା ଢଙ୍ଗରେ ଯୋଗ ଦିବସ ପାଳନର ଚିତ୍ର ଦେଖିବାକୁ ମିଳିଛି । ଏହି ସବୁ ସ୍ଥାନରେ ନିରୋଗ ଓ ନିରାମୟ ଜୀବନ ଲକ୍ଷ୍ୟରେ ଆବାଳ ବୃଦ୍ଧ ବନିତା ସମସ୍ତେ ମିଳିମିଶି ଯୋଗାଭ୍ୟାସ କରିଛନ୍ତି ।
ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସ୍କୁଲରେ ଯୋଗ ଦିବସ ପାଳିତ ହେବା ସହ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା ।
ଫଟୋ ସୌଜନ୍ୟ-ସମ୍ବାଦଦାତା, ମୟୁରଭଞ୍ଜ ସେହିପରି ସମ୍ବଲପୁର ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ସିଆରପିଏଫ ଯବାନଙ୍କୁ ଯୋଗ ଶିକ୍ଷା ଦିଆଯାଇଛି । ଏହି ଅଭ୍ୟାସ ମାନସିକ ଚାପରୁ ମୁକ୍ତି ଦେବା ସହ ସୁସ୍ଥ ରଖିଥାଏ ବୋଲି ପରାମର୍ଶ ଦିଆଯାଇଛି ।
ଫଟୋ ସୌଜନ୍ୟ-ସମ୍ବାଦଦାତା, ସମ୍ବଲପୁର ଅନୁରୂପ ଭାବେ ଯାଜପୁର ସଂସ୍କୃତି ଭବନ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ଏହି ଯୋଗ ଶିବିର ଉଦଘାଟନ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମାଲ ପ୍ରମୁଖ ଯୋଗ ଦେଇ ମଣିଷ ଜୀବନରେ ଯୋଗର ଆବଶ୍ୟକତା ନେଇ ଆଲୋକପାତ କରିଥିଲେ ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର ଏହି ଅବସରରେ ପତଞ୍ଜଳୀ ଯୋଗ ଶିବିର, ଜିଲ୍ଲା ପ୍ରଶାସନ, ବରିଷ୍ଠ ନାଗରିକ ମଞ୍ଚ, ଇନଟାକ,ସ୍କାଉଟ୍ସ ଗାଇଡ୍ସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ । ଏହି ଶିବିରକୁ ଯୋଗ ଗୁରୁ ମନ୍ମଥ ସାମଲ, ସୁବାଷ ତ୍ରୀପାଠୀ, ଗୋପିନାଥ ସେଠୀ ପରିଚାଳନା କରିଥିଲେ । ସେହିପରି ବ୍ୟାସନଗର ଷ୍ଟାଡିୟମ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ମହା ସମାରୋହରେ ପାଳନ କରାଯାଇଛି । ଏଠାରେ ସାମୁହିକ ଯୋଗ କାର୍ଯ୍ୟକ୍ରମରେ 500 ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ମୟୂରାସନ, ମକରାସନ, ନୌକାସନ, କପାଳଭାତି ଓ ଭ୍ରାମରୀ ପ୍ରାଣାୟମ ଆଦି ଯୋଗର ବିଭିନ୍ନ ଆସନର ଉପକାର ଓ କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଯାଜପୁର ରୋଡ ସ୍ଥିତ ପତଞ୍ଜଳୀ ଯୋଗ ସମିତି, ବ୍ରହ୍ମାକୁମାରୀ ଇଶ୍ବରୀୟ ବିଦ୍ୟାଳୟ ଓ କ୍ରୀଡା ଭାରତୀ ଆଦି ସଙ୍ଗଠନ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବ୍ୟାସନଗର ଭଳି ଯାଜପୁର, ଚଣ୍ଡିଖୋଲ ଓ ଧର୍ମଶାଳା ଆଦି ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ବହୁ ଉତ୍ସାହର ସହ ପାଳନ କରାଯାଇଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଓ ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା , ଇଟିଭି ଭାରତ