ରାଇରଙ୍ଗପୁର:୧୫ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣା । ଦଳ ତରଫରୁ ବହୁତ କସରତ ପରେ ଘର ବାହୁଡ଼ା ହୋଇଛନ୍ତି ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ। ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ସେଥିମଧ୍ୟରୁ ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ ପୁଣି ବିଜେପି ଦଳରେ ସାମିଲ ହୋଇଛନ୍ତି।
ଇସ୍ତଫା ଦେବା ପରେ ପୁଣି ବିଜେପିରେ ମିଶିଲେ ୫ ଜିଲ୍ଲା ପରିଷଦ ସଭ୍ୟ ଗତ ୨୭ ତାରିଖ ଦିନ ଦଳୀୟ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସଭ୍ୟ ମାନେ ଇସ୍ତଫା ଦେଇଥିଲେ।
ତେବେ ସୋମବାର ରାଇରଙ୍ଗପୁର ସ୍ଥିତ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ୪୨ ନମ୍ବର ଜୋନ୍ ଜଶିପୁର ଜିଲ୍ଲା ପରିଷଦ ସଭ୍ୟା ଗାନ୍ଧାରୀ ନାଏକ, ୩୩ ନମ୍ବର ଜୋନ ବିଶୋଇ ଜିଲ୍ଲା ପରିଷଦ ସଭ୍ୟା ନାନିକା ନାଏକ ଓ ୪୪ ନମ୍ବର ଜୋନ ରରୁଆଁ ଜିଲ୍ଲା ପରିଷଦ ସଭ୍ୟ ପରମେଶ୍ୱର ନାଏକ ପୁଣି ବିଜେପି ଦଳରେ ଯୋଗଦାନ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗ ଦେବା ସମୟରେ ଦ୍ରୌପଦୀ ମୁର୍ମୁ, ବିଜେପି ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଜଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ସହିତ ଜିଲ୍ଲାର ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ ।
ଏନେଇ ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ ଇସ୍ତଫା ମାଧ୍ୟମରେ ପ୍ରତିବାଦ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦଳରେ ସେମାନେ ଆଗାମୀ ଦିନରେ ରହିବେ ବୋଲି ବିଜେପି ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ କହିଛନ୍ତି। ସେପଟେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଆଉ ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟା ମଧୁସ୍ମିତା ପରିଡ଼ା ଓ ଅସ୍ମିତା ସିଂ ବାରିପଦାରେ ବିଜେପି ଦଳରେ ଯୋଗଦାନ ଦେଇଥିବା ଦଳ ପକ୍ଷରୁ ସୂଚନା ମିଳିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ