ବାରିପଦା:ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛରୁ ପିଟିଲା ବସ । ଜଣେ ଯୁବତୀଙ୍କ ମୃତ୍ୟ ଅନ୍ୟ ଜଣେ ଗୁରୁତର । ବେପରୁଆ ଭାବରେ ବସ ଚଲାଇବା ଯୋଗୁଁ ଚାଲିଗଲା ଗୋଟିଏ ନିରୀହ ଯୁବତିଙ୍କ ଜୀବନ । ମୃତ ଯୁବତୀ ଜଣକ ହେଉଛନ୍ତି ରଶ୍ମିତା ବେହେରା ଓ ସେ ବାରିପଦା ମୁଖ୍ୟ ଡାକଘରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ଏପରି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ।
ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ ବଜାର ଇଣ୍ଡିଆ ସମ୍ମୁଖରେ ଆଜି ଏକ ସ୍କୁଟି ଯୋଗେ ଯାଉଥିବା ଦୁଇଜଣ ଯୁବତୀଙ୍କୁ ପଛ ପଟରୁ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ସ୍କୁଟିକୁ ଧକ୍କା ଦେବା ଫଳରେ ଦୁଇ ଜଣ ଯୁବତୀ ରାସ୍ତା ଉପରକୁ ଛିଟିକି ପଡିଥିଲେ । ତେବେ ରଶ୍ମିତା ବେହେରାଙ୍କ ଉପରେ ବସର ପଛ ଚକ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବାରିପଦା ବଡ଼ ମେଡ଼ିକାଲକୁ ପଠାଇଥିଲେ । ଗୁରୁତର ଭାବେ ଆହତ ହୋଇଥିବା ଯୁବତୀଙ୍କ ନାଁ କ୍ରାନ୍ତିପ୍ରଭା ମହାପାତ୍ର ବୋଲି ସୂଚନା ମିଳିଛି ।