ରାଇରଙ୍ଗପୁର: ଏବେବି ମଣିଷ ଗୁମ୍ଫାରେ ଜୀବନ ବିତାଉଛନ୍ତି କହିଲେ ଆପଣ ନିଶ୍ଚୟ ଆଚମ୍ବିତ ହେବେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ଏକ ଅସହାୟ ପରିବାର ଜଙ୍ଗଲର ପାହାଡ଼ ଗୁମ୍ଫାରେ ଜୀବନ ଅତିବାହିତ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋଟିଏ ପରିବାର ଦୀର୍ଘ ୧୦ ଦିନ ହେଲା ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରେ ଜୀବନ ବିତାଉଛନ୍ତି । ଯାହା ଅଞ୍ଚଳ ପାଇଁ ଲଜ୍ଜାର ବିଷୟ ପାଲଟିଛି ।
ସୂଚନାନୁଯାୟୀ, ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗିରୀ ଗ୍ରାମପଞ୍ଚାୟତର ପାହାଡ ଉପରେ ଥିବା ମାଙ୍କଡଗୋଡା ଗ୍ରାମରେ ଅଧିକାଂଶ ଖଡିଆ ସମ୍ପ୍ରଦାୟର ୧୬୪ ଜଣ ବାସିନ୍ଦା ବସବାସ କରନ୍ତି । ସେଠାକାର କିଛି ପରିବାର ଆବାସ ଯୋଜନାରେ ଘର ପାଇଥିବାବେଳେ କିଛି ବର୍ତ୍ତମାନ ସୁଦ୍ଧା ପାଇନଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ସେହି ଗାଁର ଶନିବାରୀଙ୍କ ପରିବାର ଗୋଟିଏ । ତାଙ୍କ ପରିବାରରେ ତାଙ୍କ ପୁଅ ବୁଧୁ ଦେହୁରୀ, ବୋହୂ ଶୁକୁରମଣି ଓ ୪ଟି ସନ୍ତାନ । ତେବେ ଅଭିଯୋଗ ଅନୁଯାୟୀ ଶନିବାରୀଙ୍କ ପଡୋଶୀ ଅଧିକାଂଶ ସମୟରେ ମଦ୍ୟପାନ କରି ପାଟିତୁଣ୍ଡ କରିବା ସହିତ ସେମାନଙ୍କ ସହ ଜମିବାଡ଼ି ବିବାଦ ମଧ୍ୟ ଲାଗି ରହିଥାଏ । ତେଣୁ ବାଧ୍ୟ ହୋଇ ତାଙ୍କ ପରିବାର ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଲାଖେଇଡିହି ଗାଁ ଶିଙ୍ଗଡାପାଣି ଜଙ୍ଗଲରେ ଥିବା ଏକ ଗୁମ୍ଫାରେ କାଠରେ ଘର ତିଆରି କରି 10ଦିନ ହେଲା ବସବାସ କରୁଛନ୍ତି ।
ବଣ ଜଙ୍ଗଲ ଘେରା ଗୁମ୍ଫାଟି ଗାଁ ଠାରୁ ଦୂରରେ ଥିବାରୁ କୌଣସି ଲୋକ ସେଠାକୁ ଯାଇ ନଥାନ୍ତି । ତେବେ କୌଣସି ପ୍ରକାର ଲାଖେଇଡିହି ଗ୍ରାମ ମୁଖିଆଙ୍କ ଠାରୁ ଶନିବାରୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଖବର ପାଇଥିଲେ ଝାଡ଼ଖଣ୍ଡ ରାଜ୍ୟ ପଟକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସଞ୍ଜୀବ ସର୍ଦ୍ଦାର । ସଞ୍ଜୀବ ସର୍ଦ୍ଦାର ତୁରନ୍ତ ସୀମାନ୍ତବର୍ତ୍ତି ଲାଖେଇଡିହି ଗ୍ରାମକୁ ଯାଇ ୧୪ କିଲୋମିଟର ଉଚ୍ଚ ପାହାଡିଆ ରାସ୍ତାରେ ଚାଲିଚାଲି ଜଙ୍ଗଲ ମଧ୍ୟରେ ଥିବା ଗୁମ୍ଫା ପାଖକୁ ପହଞ୍ଚି ଥିଲେ । ଶନିବାରୀଙ୍କ ପରିବାର ଲୋକଙ୍କୁ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବା ଦେଖି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।