ରାଇରଙ୍ଗପୁର: ରାଇରଙ୍ଗପୁର ଆଦିବାସୀ ସଂରକ୍ଷିତ ଆସନ ପାଇଁ ବିଜେଡି, ବିଜେପି ଓ ଜେଏମଏମ ମଧ୍ୟରେ ହେବ ଜୋରଦାର ଲଢେଇ । ଚତୁର୍ଥ ପର୍ଯ୍ୟାୟରେ ଏହି ଆସନ ପାଇଁ ହେବ ମତଦାନ । ଏହାପୂର୍ବରୁ ଏହି ଆସନ ନିଜ ଦଖଲକୁ ନେବା ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ୩ଟି ଦଳ । ଚଳିତ ନିର୍ବାଚନରେ ବର୍ତ୍ତମାନର ବିଧାୟକ ସୁଶିଲ ହାଁସଦାଙ୍କ ପରିବର୍ତ୍ତେ ବିଜେଡି ବାସନ୍ତୀ ମାରାଣ୍ଡିଙ୍କୁ ଦେଇଛି ଟିକେଟ । ସେହିପରି ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛି ନବ ଚରଣ ମାଝି । ଜେଏମଏମ ଓ କଂଗ୍ରେସର ମିଳିତ ମେଣ୍ଟ ରାମଚନ୍ଦ୍ର ମୁର୍ମୁଙ୍କୁ କରିଛନ୍ତି ନିଜ ପ୍ରାର୍ଥୀ । ତେଣୁ ଏହି ଆସନରେ ଦେଖା ଦେଇଛି ତ୍ରିମୂଖୀ ଲଢେଇ । ଏହାଛଡା ୬ ସ୍ବାଧୀନ ପ୍ରାର୍ଥୀ ଏହି ଆସନରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଆସନ୍ତୁ ନଜର ପକାଇବା ନିର୍ବାଚନ ପୂର୍ବରୁ କ’ଣ ରହିଥିଲା ଏହି ଆସନର ହାଲଚାଲ । ଜିଲ୍ଲାର ଚାରୋଟି ବ୍ଲକ ଯଥା ରାଇରଙ୍ଗପୁର, ବହଳଦା, ଜାମଦା, ତିରିଂ ଓ ରାଇରଙ୍ଗପୁର ପୌରପରିଷଦକୁ ନେଇ ଗଠିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ । ଗତ ନିର୍ବାଚନରେ ଏହି ଆସନ ବିଜେଡି ଦଖଲକୁ ଯାଇଥିଲା । ବିଜେଡି ପ୍ରାର୍ଥୀ ସାଇବା ସୁଶିଲ ହାଁସଦା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଦ୍ରୌପଦୀ ମୁର୍ମୁଙ୍କୁ ୧୫୫୫୬ ଭୋଟରେ କରିଥିଲେ ପରାସ୍ତ ।