ଓଡିଶା

odisha

By

Published : Aug 23, 2019, 6:36 PM IST

ETV Bharat / state

ଜନ୍ମାଷ୍ଟମୀରେ ଅଘଟଣ, ପୋଖରୀରେ ବୁଡି 4 ବର୍ଷର ଶିଶୁ ମୃତ

ମୟୂରଭଞ୍ଜ ଜିଲ୍ଲା ଜାମବଣୀ ଗାଁରେ ଥିବା ପୋଖରୀରେ ବୁଡି ଜଣେ 4 ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଲକ୍ସି ନିଜ ମା’ ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଦେଖିବାକୁ ଆସିଥିଲା । କିନ୍ତୁ ଗାଁ ସତ୍‌ସଙ୍ଗ ଗୃହ ବାହାରେ ଥିବା ପୋଖରୀ ନିକଟକୁ ଭୁଲବଶତଃ ଯାଇ ସେଠାରେ ଶିଶୁଟି ବୁଡିଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

ରାଇରଙ୍ଗପୁର: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ । ପୋଖରୀରେ ବୁଡି ଜଣେ 4 ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଥିବା ଜାମବଣୀ ଗାଁରେ । ମୃତ ଶିଶୁ ସେହି ଗ୍ରାମର ଦୁର୍ଯ୍ୟୋଧନ ବେହେରା ଓ ପିଙ୍କି ବେହେରାଙ୍କ ଏକମାତ୍ର ପୁତ୍ର ଲକ୍ସି ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

ସୂଚନାନୁଯାୟୀ, ଜାମବଣୀ ଗ୍ରାମବାସୀ ଗାଁରେ ଥିବା ସତ୍‌ସଙ୍ଗ ଗୃହରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରୁଥିଲେ । ଲକ୍ସି ନିଜ ମା'ଙ୍କ ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଏହି ଉତ୍ସବ ଦେଖିବାକୁ ଆସିଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଲକ୍ସି ସତ୍‌ସଙ୍ଗ ଗୃହ ବାହାରେ ଖେଳୁଥିବାବେଳେ ଭୁଲବଶତଃ ନିକଟରେ ଥିବା ପୋଖରୀକୁ ଯାଇ ବୁଡିଯାଇଥିଲା ।

ସେପଟେ ଲକ୍ସିକୁ ନପାଇ ମା’ ପିଙ୍କି ଓ ଗ୍ରାମବାସୀମାନେ ତାକୁ ଖୋଜିଖୋଜି କରିଥିଲେ । ପୋଖରୀରେ ତାର ମୃତଦେହ ଭାସୁଥିବାର ଦେଖି ତୁରନ୍ତ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଲକ୍ସିକୁ ସେଠାରେ ମୃତ ଘୋଷଣା କରିଥିଲେ । ଆଜି ଭଳି ଏକ ପବିତ୍ର ଦିନରେ ଏଭଳି ଅଘଟଣକୁ ନେଇ ଜାମବଣୀ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details