ମାଲକାନଗିରି: ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ । ଏହା ପୂର୍ବରୁ ସୋମବାର ଠାରୁ ଖଇରପୁଟ ବ୍ଲକର ଆମ୍ମକୁଣ୍ଡ ଠାରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସୋମବାର ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଙ୍କ ଦ୍ଵାରା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ପବିତ୍ର ଜଳକୁ ଦାମଲଦେଇ ମନ୍ଦିର ପରିସରକୁ ଅଣାଯାଇଥିଲା । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା । ଶୋଭାଯାତ୍ରାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ, ଡମ୍ୱରୁ ସିସାଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।
ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ବିଘ୍ନ କିର୍ଷାନି ସଭାପତିତ୍ବ କରିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଇରପୁଟ ହୃଦାନନ୍ଦ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ସମାରୋହ ଆୟୋଜନ ହୋଇଥିଲା । ଅପରାହ୍ନରେ କଳସ ଗୁଡ଼ିକୁ ମାଲକାନଗିରି ସଦର ମହକୁମାକୁ ଅଣାଯାଇଥିଲା ।