ଓଡିଶା

odisha

ETV Bharat / state

ସରକାରୀ ଜାଗାରେ ନିର୍ମିତ ସ୍କୁଲ ଭାଙ୍ଗିଲା ପ୍ରଶାସନ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସରକାରୀ ସ୍ଥାନରେ ନିର୍ମିତ ବେସରକାରୀ ସ୍କୁଲକୁ ପ୍ରଶାସନ ଉଚ୍ଛେଦ କରିବା ପରେ ଅନ୍ଧାରରେ 200ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

By

Published : May 15, 2019, 6:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ଏମଭି ୭୯ ମୋଟୁ ରାସ୍ତା କଡରେ ସରକାରୀ ଜାଗାରେ ଜୀବନ ବିକାଶ ନାମକ ପବ୍ଲିକ ସ୍କୁଲ ଚାଲିଥିଲା । କିନ୍ତୁ ବୁଧବାର ପ୍ରଶାସନ ପକ୍ଷରୁ ଏହାକୁ ବୁଲ୍ ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ, ୨୦୧୧ ମସିହାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଅଞ୍ଚଳର ଇରିଗେସନ କଲୋନୀରେ ବିଜୟ କୁମାର ସୁକୃଙ୍କ ନେତୃତ୍ବରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀଙ୍କ ନେତୃତ୍ବରେ ଏହି ବିଦ୍ୟାଳୟ ୪ ବର୍ଷ ଧରି ଚାଲିଥିଲା ।

ତେବେ ମୋଟୁର ପୂର୍ବତନ ତହସିଲଦାର ଅନିଲ କୁମାର ସେଠିଙ୍କ ନିର୍ଦ୍ଦେଶ କ୍ରମେ ଏହି ଜାଗା ଛାଡିବାକୁ ପ୍ରଶାସନ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ କରାଯାଇଥିଲା । ପରେ ଏକ ପତିତ ଜାଗାରେ ଦୁଇ ବର୍ଷ ଧରି ସ୍କୁଲ ଚାଲିଲା । ପୁଣି ଥରେ ସରକାରୀ ଜାଗାରେ ଏହି ସ୍କୁଲ ଚାଲିଥିବା ନେଇ କର୍ତ୍ତୃପକ୍ଷଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆ ଯାଇଥିଲା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ବୁଲଡୋଜର ଲଗାଇ ସ୍କୁଲ ଭାଙ୍ଗି ଦିଆଯାଇଛି ।

ଉକ୍ତ ସ୍କୁଲରେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ସ୍କୁଲ ଭଙ୍ଗା ଘଟଣାକୁ ନେଇ ଅନେକ ସମୟ ଧରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ବିରୋଧ କରିବାରୁ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ପୋଲିସ ସହାୟତାରେ ପ୍ରଶାସନ ସ୍କୁଲ ଭାଙ୍ଗିଛି ।

ଏମିତିକି ସ୍କୁଲ ଭଙ୍ଗା ଘଟଣାକୁ କିଛି ମହିଳା ବିରୋଧ କରିବାରୁ ପୁରୁଷ ପୋଲିସ ଉକ୍ତ ମହିଳାଙ୍କୁ ଟେକି ଟେକି ନେଉଥିବା ମଧ୍ୟ ଦେଖାଯାଇଛି । ସ୍କୁଲ ଭାଙ୍ଗିବା ପରେ ସେଠାରେ ଅଧ୍ୟୟନ କରୁଥିବା ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details