ମାଲକାନଗିରି:ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ । ମାଲକାନଗିରି ଜିଲ୍ଲାପାଳ ଡ. ୱାଇ.ବିଜୟ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ପ୍ରଦୀପ ମାଝୀ । ଗତ ମାର୍ଚ୍ଚ ମାସରେ ହୋଇଥିବା ମାଇନର ମିନେରାଲ ସୋରସେସ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଓ ଏହି ଅନିୟମିତତା ନିଜେ ଜିଲ୍ଲାପାଳ କରିଥିବା ପ୍ରଦୀପ ଅଭିଯୋଗ ଆଣିଛନ୍ତି । ଏହି ବାବଦକୁ ଜିଲ୍ଲାପାଳ ନଗଦ କୋଟିଏ ଟଙ୍କା ଲାଞ୍ଚ ନେବା ସହ ମୂଲ୍ୟବାନ ଗାଡି ଉପହାର ନେଇଥିବା ସେ ଆରୋପ ଲଗାଇଛନ୍ତି ।
ଗତ ମାର୍ଚ୍ଚ ମାସ ୨୦ ତାରିଖ ସମୟ ୫ଟାରେ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଟେଣ୍ଡର ବକ୍ସ ତିନି ଦିନ ପରେ ଅର୍ଥାତ ୨୩ ତାରିଖ ଦିନ ୧ ଘଣ୍ଟା ୪୦ ମିନିଟରେ ଟ୍ରେଜର ଷ୍ଟ୍ରଙ୍ଗ ରୁମକୁ ପଠାଯାଇଥିଲା । ସେଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ମାତ୍ର ଗୋଟିଏ କିଲୋମିଟର ଦୂର ହୋଇଥିବାବେଳେ ଏଥିପାଇଁ ୩ ଦିନ ସମୟ ଲାଗିଲା । ତେବେ ସେହି ତିନି ଦିନ ଟେଣ୍ଡର ବକ୍ସ ଜିଲ୍ଲାପାଳଙ୍କ ବାସଭବନକୁ ନିଆଯାଇଥିଲା କାହିଁକି ବୋଲି ପ୍ରଦୀପ ପ୍ରଶ୍ନ ଉଠାଇଛନ୍ତି । ଉକ୍ତ ତିନି ଦିନ ମଧ୍ୟରେ ଚଞ୍ଚକତା କରାଯାଇ ସିଏଚ. ବେଣୁଗୋପାଳ 7ଟି ପଥର ଖାଦାନ ମାତ୍ର ୪୦ ଟଙ୍କାରୁ ୫୦ ଟଙ୍କା ବ୍ୟବଧାନରେ ରୋୟାଲଟି ମୂଲ୍ୟ ଧାର୍ଯ୍ୟ କରି ଖାଦାନଗୁଡିକ ପାଇବାରେ ସଫଳ ହୋଇଛନ୍ତି । ସେପଟେ ଟେଣ୍ଡର ଆବେଦନ ପାଇଁ ହୋଇଥିବା ସଲଭେନସିରେ ଜମିର ମୂଲ୍ୟ 1 କୋଟି ୫୯ ଲକ୍ଷ ୩୨୮ ଟଙ୍କା ହେଲା କିପରି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସଲଭେନସିରେ ବ୍ୟବହାର କରାଯାଇଥିବା ଘର ୪ କୋଟି ୮୯ ଲକ୍ଷ ଦର୍ଶାଯାଇଥିବା ବେଳେ ବାସ୍ତବରେ ଏହାର ମୂଲ୍ୟ ବହୁତ କମ୍ ଏବଂ ସିଏଚ ବେଣୁଗୋପାଲ ଚଞ୍ଚକତା କରି ଯେଉଁ ୭ଟି ପଥର ଖାଦାନ ଲିଜ ପାଇଛନ୍ତି ତାହାର ସମୁଦାୟ ଏମଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟ କ୍ୟାଣ୍ଟିଟି ) ୨ କୋଟି ୩୮ ଲକ୍ଷ ୯୩ ହଜାର ୨୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧ କୋଟି କାର ସଲଭେନସି ସାର୍ଟିଫିକେଟ ପ୍ରଦାନ କରି ସମସ୍ତ ଲିଜ ଦିଆଯାଇଛି ।