ଓଡିଶା

odisha

ETV Bharat / state

ଲାଲଗଡରେ ଲାଲବାହିନୀ ଭୟ: ହେଲିକପ୍ଟରରେ ବିଚ୍ଛିନ୍ନାଞ୍ଚଳ ଗଲେ ପୋଲିଂ ଅଫିସର - ଲାଲାବାହିନୀ ଭୟ

ହାତରେ ପୋଲିଂ କିଟ୍, ମନରେ ଭରପୁର ଉତ୍ସାହ । ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ବିଚ୍ଛିନ୍ନାଞ୍ଚଳକୁ । କଡା ସୁରକ୍ଷା ଭିତରେ ଏବର୍ଷ ପୋଲିଂ ଅଫିସର ଓ କର୍ମଚାରୀଙ୍କୁ ଏପରି ଭାବେ ବୁଥ୍‌କୁ ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Apr 10, 2019, 2:17 PM IST

ମାଲକାନଗିରି: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । ମାଓ ଅଧ୍ୟୁଷିତ ଜିଲ୍ଲାରେ ପଡିବ ଭୋଟ୍ । ଏଥିପାଇଁ ପ୍ରଶାସନ ନେଇଛି କଡା ସୁରକ୍ଷା ବ୍ୟବସ୍ଥା । ମାଓଗଡକୁ ଯାଇଛନ୍ତି ପୋଲିଂ ଟିମ୍ । ସୁରକ୍ଷା ଦୃଷ୍ଟିରୁ ଏମାନଙ୍କୁ ନିଆଯାଇଛି ଆକାଶମାର୍ଗରେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ ।

ହାତରେ ପୋଲିଂ କିଟ୍, ମନରେ ଭରପୁର ଉତ୍ସାହ । ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ବିଚ୍ଛିନ୍ନାଞ୍ଚଳକୁ । କଡା ସୁରକ୍ଷା ଭିତରେ ଏବର୍ଷ ପୋଲିଂ ଅଫିସର ଓ କର୍ମଚାରୀଙ୍କୁ ଏପରି ଭାବେ ବୁଥ୍‌କୁ ନିଆଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ପୋଲିଂ ପାଇଁ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଏହାକୁ ସୁରୁଖୁରୁରେ ସମାପ୍ତ କରିବାକୁ ପୋଲିସ ପ୍ରଶାସନ ଗ୍ରହଣ କରିଛି କଡା ସୁରକ୍ଷା ବ୍ୟବସ୍ଥା । ମାଓ ପ୍ରବଣ ମାଲକାନଗିରିରେ ଶାନ୍ତିପୂର୍ଣ ଭାବେ ନିର୍ବାଚନ କରିବା ଲାଗି ୫୪୦ଟି ମତଦାନ କେନ୍ଦ୍ର କରାଯାଇଛି । ଯାହା ମଧ୍ୟରେ ରହିଛି ୧୨୬ଟି ଅତି ସମ୍ବେଦନଶୀଳ ବୁଥ୍‌ । ଏହି ସମସ୍ତ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହାସହ ବିଏସଏଫ୍‌, ଏସଓଜି, ଆଇଆରବି ଏବଂ ଡିଭିଏଫ୍‌ ବାହିନୀ ପକ୍ଷରୁ ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପରେସନ କରାଯାଉଛି । ବିଶେଷ କରି ମାଓ ପ୍ରବଣ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଶାନ୍ତିପୂର୍ଣ ଭାବେ ମତଦାନ କରିବା ଲାଗି ଜିଲ୍ଲା ପ୍ରଶାସନ ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ନେଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଚ୍ଛିନ୍ନାଞ୍ଚଳର ୯ଟି ଭିନ୍ନ ଭିନ୍ନ ବୁଥ୍‌କୁ ଏକାଠି କରାଯାଇଛି ।

ଅନ୍ୟପକ୍ଷରେ ଲାଲଗଡରେ ସୁରକ୍ଷିତ ଭାବେ ପୋଲିଂ କର୍ମଚାରୀ ଓ ସାମଗ୍ରୀକୁ ପହଞ୍ଚାଇବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ଥିଲା । ତେବେ ନକ୍ସଲଙ୍କ ଅଘଟଣକୁ ଏଡାଇବାକୁ ଆକାଶମାର୍ଗରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ସମସ୍ତ ପୋଲିଂ କର୍ମଚାରୀଙ୍କୁ ପହଞ୍ଚାଇ ଦିଆଯାଇଛି ପୋଲିଂ ସେଣ୍ଟରରେ । ପ୍ରଥମେ ବେସ୍‌ କ୍ୟାମ୍ପରେ ପହଞ୍ଚିବା ପରେ ସମସ୍ତ କର୍ମଚାରୀ ଯିବେ ପୋଲିଂ ବୁଥ୍‌କୁ ।

କୁନ୍ତୁରପଦରେ ଥିବା ବେସ୍ କ୍ୟାମ୍ପକୁ ୪ ଥର ହେଲିକପ୍ଟରରେ ନେଇ ସମସ୍ତ ପୋଲିଂ ସାମଗ୍ରୀ ଓ କର୍ମଚାରୀଙ୍କୁ ପହଞ୍ଚାଯାଇଛି । ଏହାପରେ କଡା ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ବୁଥ୍‌କୁ ଯିବା ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ତେବେ ଏହି ନିର୍ବାଚନ କାର୍ଯ୍ୟରେ କିଏ ପ୍ରଥମ ଥର ଲାଗି ସାମିଲ ହୋଇଛି ତ ଆଉ କିଏ ଦ୍ବିତୀୟ ଥର ପାଇଁ ଆସିଛି । ମାଓ ପ୍ରବଣ ଅଞ୍ଚଳକୁ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ପୋଲିଂ ଅଫିସର । ଦେଶର ଏହି ଗଣପର୍ବରେ ସାମିଲ ହେବାକୁ ଆନନ୍ଦିତ ଥିବା ସହ କେହି ଭୟଭୀତ ନଥିବା କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ କୁମାର ତିଆଡି, ଇଟିଭି ଭାରତ

ABOUT THE AUTHOR

...view details