ମାଲକାନଗିରି:ସତ ହେଲା ଆଶଙ୍କା । ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ । ଗୋଦାବରୀ ନଦୀ ଉପରେ ଆନ୍ଧ୍ରର ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ପରେ ଅସ୍ବାଭାବିକ ଭାବରେ ଫୁଲୁଛି ଗୋଦାବରୀ ନଦୀ । ଫଳରେ ଚିନାଗୋଦାବରୀ ନଦୀରେ ଠିକ୍ ରୂପେ ହୋଇପାରୁନି ଜଳ ନିଷ୍କାସନ । ଯାହାର ପ୍ରଭାବ ମାଲକାନଗିରି ଜିଲ୍ଲାର ମୋଟୁ ଗାଁରେ ଦେଖିବାକୁ ମିଳିଛି । ଡ୍ୟାମର ପଛୁଆ ଜଳ ଗାଁ ଭିତରେ ପ୍ରବେଶ କରିବା ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।
ପୋଲାଭରମ ପ୍ରକଳ୍ପ ଯୋଗୁଁ ମୋଟୁ ଅଞ୍ଚଳର ମୁଗି ପଏଣ୍ଟ୍ ଆଜି ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଭଦ୍ରାଞ୍ଚଳମ ପ୍ରଶାସନ ପକ୍ଷରୁ ଗୋଦାବରୀ ନଦୀ କୂଳରେ ଥିବା ବନ୍ଧ ଉପରେ ୨୪ ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା କରାଯାଇଛି । ନଦୀ ଆଖପାଖକୁ କାହାରିକୁ ଛଡ଼ାଯାଉନି । ସେହିପରି ଭଦ୍ରାଞ୍ଚଳମ ଠାରୁ ୫୦ କିଲୋମିଟର ଦୂରରେ ଥିବା କୁନାଲରମ ବ୍ଲକର ଅଧିକାଂଶ ଗାଁ ଗୋଦାବରୀ ବନ୍ୟାଜଳରେ ଉବୁଟୁବୁ ହେଉଛି । ତେଣୁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
ଗୋଦାବରୀ ଫୁଲିବାରୁ ମୋଟୁ ନଦୀ ଅସ୍ବାଭାବିକ ଭାବେ ଫୁଲିବାରେ ଲାଗିଛି । ମୋଟୁ ନିକଟରେ ପ୍ରବାହିତ ଚିନାଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍ ରୂପେ ହୋଇପାରୁନାହିଁ । ଏଣୁ ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ସ୍ଥିତ ମଧୁସୂଦନ ପାର୍କ ବନ୍ୟା ପାଣିରେ ବୁଡ଼ି ରହିଛି । ସେହିପରି ମୋଟୁ ଠାରୁ ୧୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତୁର ବଜାର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି । ମୋଟୁ ଓ ଚିନ୍ତୁର ମଝିରେ ଥିବା କାଲେରୁ ଗ୍ରାମର ଅନେକ ଘର ବି ବୁଡ଼ି ସାରିଲାଣି । ଗୋଦାବରୀ ଉପର ମୁଣ୍ଡରେ ବର୍ଷାର ପ୍ରକୋପ ଲାଗି ରହିଥିବାରୁ ସ୍ବାଭାବିକ ସ୍ଥିତି ଏତେ ଶୀଘ୍ର ଫେରିବାର ନାହିଁ । ତେଣୁ ଆଗକୁ ବନ୍ୟା ଜଳ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।