ଓଡିଶା

odisha

ETV Bharat / state

ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ, ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବୁ କହିଲେ ଚାଷୀ - Farmers are facing Water Problem

ଜଳସେଚନ ବିଭାଗ ପାଣି ଦେବ ବୋଲି କହିବାରୁ ଚିନାବାଦାମ ଚାଷ ଆରମ୍ଭ କରିଥିଲେ ମାଲକାନଗିରି ଜିଲ୍ଲାର ମାନ୍ୟମକୁଣ୍ଡା ପଞ୍ଚାୟତ ଅଞ୍ଚଳର ଚିନାବାଦାମ ଚାଷୀ । ହେଲେ ବାଦାମ ଅମଳ ସମୟରେ ପାଣି ବନ୍ଦ କରିଦେଲା ବିଭାଗ । ଫଳରେ ନଷ୍ଟ ହେବାକୁ ବସିଲାଣି ଶହଶହ ଏକର ଚିନାବାଦାମ । ସରକାରୀ ସହାୟତା ନମିଳିଲେ ଚାଷୀମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ
ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ

By

Published : May 19, 2023, 8:22 PM IST

ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ

ମାଲକାନଗିରି: କେନାଲରେ ପାଣି ଛାଡ଼ୁନାହିଁ ଜଳସେଚନ ବିଭାଗ । ଯାହା ଫଳରେ ଶହ ଶହ ଏକର ଚିନାବାଦାମ ଚାଷ ନଷ୍ଟ ହବାକୁ ବସିଲାଣି । ଏହାକୁ ନେଇ ଚିନ୍ତାରେ ଚିନାବାଦାମ ଚାଷୀ । ଏଭଳି ଅଭାବନୀୟ ପରିସ୍ଥିତିରେ ପଡିଛନ୍ତି ମାଲକାନଗିରି ଜିଲ୍ଲାର ମାନ୍ୟମକୁଣ୍ଡା ପଞ୍ଚାୟତ ଅଞ୍ଚଳର ଚିନାବାଦାମ ଚାଷୀମାନେ । ବିଭିନ୍ନ ସୂତ୍ରରୁ ଋଣ କରି ସେମାନେ ଚାଷ କରିଥିବା ବାଦାମ ନଷ୍ଟ ହେବାକୁ ବସିଥିବାରୁ ସେମାନେ ସରକାରୀ ସହାୟତା ଦାବି କରିଛନ୍ତି । ନହେଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଆରମ୍ଭରୁ ପାଣି ଦେଲେ, ଅମଳ ବେଳକୁ ବନ୍ଦ କରିଦେଲେ: ମାଲକାନଗିରି ଜିଲ୍ଲାର ଚାଷୀମାନେ ସାଧାରଣତଃ ଖରିଫ ଓ ରବି ଫସଲ କରିଥାନ୍ତି । ଖରିଫ ଋତୁରେ ଧାନ, ମାଣ୍ଡିଆ ପ୍ରଭୃତି ଚାଷ କରୁଥିବାବେଳେ ରବି ଋତୁରେ ଏହି ଅଞ୍ଚଳର ଚାଷୀମାନେ ଚିନାବାଦାମ ଚାଷ କରନ୍ତି । ଏହି ଅଞ୍ଚଳର ମାଟି ଚିନାବାଦାମ ଚାଷ ପାଇଁ ଉପଯୋଗୀ ହୋଇଥିବାରୁ ଜିଲ୍ଲାର ବହୁ ସ୍ଥାନରେ କେନାଲ ପାଣି ଉପରେ ନିର୍ଭର କରି ଚିନାବାଦାମ ଚାଷ କରିଥାନ୍ତି । ସେହିଭଳି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ମାନ୍ୟମକୁଣ୍ଡା ପଞ୍ଚାୟତର MPV 41, MV75, MPV42, ଦୋଗୁଣ୍ଡା, ବିଲିଗୁଡା, ପିଣ୍ଡିକୋଣ୍ଡା ଓ କାଲୁଗୁଡା ଗ୍ରାମର ଚାଷୀମାନେ ପଟେରୁ କେନାଲ ପାଣି ଉପରେ ନିର୍ଭର କରି ୨ ଶହ ଏକରରୁ ଊର୍ଦ୍ଧ୍ୱ ଜମିରେ ଚିନାବାଦାମ ଚାଷ କରିଥିଲେ । କିନ୍ତୁ କେନାଲରେ ଅମଳ ସମୟରେ ପାଣି ନଆସିବାରୁ ଚିନାବାଦାମ ମାଟିତଳୁ ବାହାର କରିହେଉନି । ଫଳରେ ମାଟିତଳେ ଚିନାବାଦାମ ରହି ନଷ୍ଟ ହେଉଛି । ଚାଷୀଙ୍କ କହିବାହେଲା, ବାଦାମ୍ ଚାଷ ଆରମ୍ଭ ସମୟରେ ପଟେରୁ ଜଳସେଚନ ବିଭାଗ କେନାଲରେ ପାଣି ଛାଡିଥିଲା ଏବଂ ଗଛ ବଢିବା ସମୟରେ ବି ପାଣି ଛଡାଯାଇଥିଲା । କିନ୍ତୁ ବାଦାମ ଅମଳ ସମୟରେ ପଟେରୁ ଜଳସେଚନ ବିଭାଗର ଅଧିକାରୀମାନେ ପାଣି ଛାଡୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ପାଣି ଛାଡ଼ିବାକୁ ପ୍ରତିଶୃତି ଦେଇଥିଲେ ଅଧିକ୍ଷଣ ଯନ୍ତ୍ରୀ: ଚାଷୀଙ୍କ କହିବା ହେଲା ଗତ କିଛିବର୍ଷ ହେବ କେନାଲରେ ଉପଯୁକ୍ତ ପରିମାଣର ପାଣି ନଆସିବାରୁ ଜିଲ୍ଲାର ହଜାରହଜାର ହେକ୍ଟର ଚାଷଜମି ପଡ଼ିଆ ପଡିଛି । ଫଳରେ ୩ ବର୍ଷ ପୂର୍ବରୁ ଯେଉଁ ପରିମାଣର ଚିନାବାଦାମ ଅମଳ ହେଉଥିଲା, ବର୍ତ୍ତମାନ ସେହି ପରିମାଣର ବାଦାମ ଚାଷ ହୋଇପାରୁନି । ଏହାକୁ ଦେଖି ମାନ୍ୟମକୁଣ୍ଡା ପଞ୍ଚାୟତର ଚାଷୀମାନେ MV79 ଠାରେ ଥିବା ପଟେରୁ ଜଳସେଚନ ପ୍ରକଳ୍ପ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରି ବୁଝିଥିଲେ, ଜଦି ସେମାନଙ୍କ ପାଇଁ ଏହିବର୍ଷ କେନାଲରେ ଉପଯୁକ୍ତ ପରିମାଣର ପାଣି ଛଡାଯିବ, ତାହେଲେ ସେମାନେ ଚିନାବାଦାମ ଚାଷ କରିବେ । ଏହାପରେ ଉପଯୁକ୍ତ ପରିମାଣର ପାଣି ଛାଡ଼ିବାକୁ ଅଧିକ୍ଷଣ ଯନ୍ତ୍ରୀ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହାପରେ ସେମାନେ ବାଦାମ ଚାଷ କରିଥିଲେ । କିନ୍ତୁ ଅଧିକ୍ଷଣ ଯନ୍ତ୍ରୀ କହିବା ମୁତାବକ କେନାଲରେ ପାଣି ଆସିନଥିବା କହିଛନ୍ତି ଚାଷୀ ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବିଧାୟକ: ତେବେ ୪ ଦିନ ପୂର୍ବରୁ କେନାଲରେ ପାଣି ନଆସିବାରୁ ପଟେରୁ ଜଳସେଚନ ପ୍ରକଳ୍ପ ଅଫିସ୍ ଆଗରେ ଧାରଣା ଦେଇଥିଲେ ବାଦାମ ଚାଷୀ । ଏହି ସମୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ଚାଷଜମି ଦେଖଥିଲେ ଏବଂ ବିଭାଗୀୟ ଅଧିକାରୀ ଓ ଚାଷୀଙ୍କ ସହ ମିଶି ମୁଖ୍ୟ କେନାଲ ଦେଖିଥିଲେ । ବିଧାୟକ କେନାଲ ବୁଲୁଥିବା ଜାଣି ପଟେରୁ ଜଳସେଚନ ବିଭାଗର କର୍ମଚାରୀ କେନାଲରେ ପାଣି ଛାଡିଥିଲେ । କେନାଲରେ ଦୁଇ ମିଟର ଉଚ୍ଚତାରେ ପାଣି ଛାଡିଲେ ଶାଖା କେନାଲରେ ଦେଢ଼ଫୁଟ ପାଣି ଆସିବା କଥା । କିନ୍ତୁ ଶାଖା କେନାଲରେ ପାଣି ଜମାରୁ ଆସିନାହିଁ । ଯାହାକୁ ନେଇ ବିଧାୟକ ପ୍ରଶ୍ନ କରିଛନ୍ତି ଏବଂ କେନାଲରେ ସେ ନିଜେ ପାଣି ମାପି ଦେଖିଛନ୍ତି । ଏନେଇ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବେ କହିଛନ୍ତି ବିଧାୟକ ।

'ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବୁ': ଅନ୍ୟପଟେ ଚାଷୀମାନେ କେନାଲରେ ପାଣି ଛାଡିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଜଦି ସେମାନଙ୍କ ଜମିରେ ୪ ଦିନ ପାଣି ରହିଯାଏ, ତେବେ ଉଜୁଡି ଯାଉଥିବା ଫସଲରୁ କିଛି ମାତ୍ରାରେ ଅମଳ ହୋଇପାରିବ । ଯଦି ଏହି ୪ ଦିନ ମଧ୍ୟରେ ଜମିରେ ପାଣି ନପହଞ୍ଚେ, ତେବେ ସେମାନେ ବାଦାମ ଚାଷ ଜମିରେ ନିଆଁ ଲଗାଇ ଦେବେ ବୋଲି କହିଛନ୍ତି । ସେହିପରି କିଛି ଚାଷୀ କହିଛନ୍ତି ସେମାନେ ବ୍ୟାଙ୍କ, ଲ୍ୟାମ୍ପ ଓ ଗାଁ ସାହୁକାରଙ୍କଠାରୁ ଋଣ ଆଣି ଚିନାବାଦାମ ଚାଷ କରିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଋଣ ପରିଶୋଧ ପାଇଁ ସେମାନଙ୍କୁ ସରକାରୀ ସହାୟତା ନମିଳିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ପଚାରି ବୁଝିବା ପାଇଁ ପଟେରୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚିଥିଲୁ, ହେଲେ ସେଠାରେ କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ଶେଷରେ ସହକାରୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details