ଓଡିଶା

odisha

ETV Bharat / state

73ବର୍ଷରେ ସ୍ବାଧୀନତା, ଅବହେଳିତ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ

ସମସ୍ତେ ସ୍ବାଧୀନତାର 73ତମ ବର୍ଷରେ ମନେ ପକାଇଛନ୍ତି ନିଜ ପୂର୍ବପୁରୁଷଙ୍କ ବଳିଦାନକୁ । ହୁଏତ ସରକାର ସେହି ଆଦିବାସୀ ସଂଗ୍ରାମୀଙ୍କୁ ନିଜ ଶହୀଦ ଯବାନଙ୍କ ତାଲିକାରୁ ହଟାଇ ଦେଇପାରନ୍ତି, କିନ୍ତୁ ଆଜି ବି ସେମାନଙ୍କ ଦେଶପ୍ରେମ, ଶ୍ରଦ୍ଧା ଓ ଭକ୍ତିକୁ ଭୁଲି ପାରିନାହାନ୍ତି ପରିବାର ଲୋକେ ।

By

Published : Aug 17, 2019, 8:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଦେଶ ସ୍ବାଧୀନତାକୁ ବିତିଛି 72 ବର୍ଷ । ଆରମ୍ଭ ହୋଇଛି 73ତମ ସ୍ବାଧୀନତା ଦିବସ ପାଳନ । ଚାରିଆଡେ ଗୁଞ୍ଜୁରି ଉଠୁଛି ସ୍ବାଧୀନତାର ସ୍ବର । ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନ ତଥା ସଂଗ୍ରାମୀମାନଙ୍କୁ ମନେ ପକାଇଛନ୍ତି ଦେଶବାସୀ । ହେଲେ ଶହୀଦ ସଂଗ୍ରାମୀଙ୍କ ତାଲିକାରୁ ଯେମିତି ବାଦ ପଡିଛନ୍ତି ରାଜ୍ୟର ଆଦିବାସୀ ସଂଗ୍ରାମୀ । ତେବେ କିପରି ରହିଛି ଏହି ସଂଗ୍ରାମୀମାନଙ୍କ ପରିବାରର ଅବସ୍ଥା ତାହା ପଚାରି ବୁଝିଛି ‘ଇଟିଭି ଭାରତ’ । ଦେଖନ୍ତୁ ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟ :

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ପଛୁଆ ଇଲାକାରେ ବେଶ ଆନନ୍ଦ ଓ ଉଲ୍ଲାସରେ ପାଳନ ହୋଇଛି ସ୍ବାଧୀନତା ଦିବସ । ସମସ୍ତେ ସ୍ବାଧୀନତାର 73ତମ ବର୍ଷରେ ମନେ ପକାଇଛନ୍ତି ନିଜ ପୂର୍ବପୁରୁଷଙ୍କ ବଳିଦାନକୁ । ହୁଏତ ସରକାର ସେହି ଆଦିବାସୀ ସଂଗ୍ରାମୀଙ୍କୁ ଶହୀଦଙ୍କ ତାଲିକାରୁ ହଟାଇ ଦେଇପାରନ୍ତି, କିନ୍ତୁ ଆଜି ବି ସେମାନଙ୍କ ଦେଶପ୍ରେମ, ଶ୍ରଦ୍ଧା ଓ ଭକ୍ତିକୁ ଭୁଲି ପାରିନାହାନ୍ତି ପରିବାର ଲୋକେ । ଫଳରେ ପରିବାର ଲୋକେ ଓ କିଛି ବଦାନ୍ୟ ଗ୍ରାମବାସୀଙ୍କ ମିଳିତ ସହାୟତାରେ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ଚଢିଛି ଶ୍ରଦ୍ଧାର ପୁଷ୍ପମାଳା ।

ଏ ହେଉଛି ମାନକାନଗିରି ଜିଲ୍ଲା ଗଙ୍ଗଲା ଗାଁର ଦୃଶ୍ୟ । ଯେଉଁଠାରେ ରହୁଛନ୍ତି ଶହୀଦ ସ୍ବାଧୀନତା ସଂଗ୍ରାମୀ ଗଙ୍ଗାଧର କୋପେଙ୍କ ପରିବାର । ପରିବାରର ପେଟ ପୁରିବା ପାଇଁ ଦାନା ନିଅଣ୍ଟ । ନା ଅଛି ପର୍ଯ୍ୟାପ୍ତ ରୋଜଗାର, ନା ମିଳୁଛି ସଂଗ୍ରାମୀ ଭତ୍ତା । ଫଳରେ ଅତି ଅଭାବ ଅସୁବିଧାରେ ଚଳୁଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ କହିବା ମୁତାବକ ତାଙ୍କ ପରିବାରକୁ ସରକାର ଯେମିତି ଭୁଲି ଯାଇଛନ୍ତି । ଫଳରେ ପ୍ରତିବର୍ଷ ସ୍ବାଧୀନତା ଦିବସରେ ଶହୀଦ ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରନ୍ତି ପରିବାର ଓ ଗ୍ରାମବାସୀ ।

ଯେଉଁ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ବା ସରକାରୀସ୍ତରରେ ହେବା କଥା, ସେ ଦାୟିତ୍ବକୁ ଏକପ୍ରକାର ଭୁଲିଯାଇଛନ୍ତି ସରକାର । ତେଣେ କେବଳ ସଂଗ୍ରାମୀ ଗଙ୍ଗାଧର କୋପେ ଏକା ନୁହଁନ୍ତି, ଏଭଳି ଅବହେଳାର ଶିକାର ହୋଇଛନ୍ତି ବୀର ଲକ୍ଷ୍ମଣପୁର ଗ୍ରାମର ଶହୀଦ ସଂଗ୍ରାମୀ ଗଙ୍ଗାଧର ଝଲ୍ଲାଙ୍କ ପରିବାର । ତେବେ ବର୍ଷକୁ ଥରେ ମାଲକାନଗିରି ଜିଲ୍ଲାର ଆଦିବାସୀ ସଂଗ୍ରାମୀମାନଙ୍କୁ ସରକାର ମନେ ପକାଇ ପରିବାରର ସଦସ୍ୟଙ୍କୁ ସଭାରେ ଶାଲ ଖଣ୍ଡେ ଦେଇ ନିଜ ଦାୟିତ୍ବ ସମ୍ପୂର୍ଣ୍ଣ କରୁଛନ୍ତି ।

ଦେଶ ଯେତେ ଆଗେଇଲେ ବି ଦେଶ ସ୍ବାଧୀନ ହେବା ପଛରେ ରହିଥିବା ଏହି ଆଦିବାସୀ ସଂଗ୍ରାମୀମାନଙ୍କ ବଳିଦାନକୁ ଖୁବ କମ୍‌ ଲୋକେ ବା କେବଳ ପରିବାର ଲୋକେ ହିଁ ମନେ ରଖିଛନ୍ତି କହିଲେ କିଛି ଭୁଲ ହେବ ନାହିଁ । ତେଣୁ 73ତମ ସ୍ବାଧୀନତା ଦିବସରେ ଏହି ଶହୀଦ ସଂଗ୍ରାମୀଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଅବହେଳା ବିଡମ୍ବନାର ବିଷୟ ନୁହେଁ କି ?

ମାଲାକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details