ମାଲକାନଗିରି: ଧରାବତାରଣ କରିବେ ଦଶଭୂଜା ମା’ ଦୁର୍ଗା । ମା’ଙ୍କ ଆଗମକୁ ନେଇ ଚଳଚଞ୍ଚଳ ଗାଁରୁ ସହର । ବିଭିନ୍ନ ମନ୍ଦିର, ମଣ୍ଡପ ଓ ଶକ୍ତିପୀଠରେ ଚାଲିଛି ମା’ ଦଶଭୂଜାଙ୍କ ଷୋଡଶ ଉପଚାର ସହ ନବରାତ୍ର ପୂଜା । ଏହା ଭିତର ଦେଶର ଅନ୍ୟତମ ଶକ୍ତିପୀଠ ମାଲକାନଗିରି ସୀମାବର୍ତ୍ତି ଛତିଗଡରର ଦନ୍ତବେଡା ଅଞ୍ଚଳର ଦନ୍ତେଶ୍ବରୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି ।
ଦନ୍ତେଶ୍ବରୀ ମନ୍ଦିରର କିମ୍ବଦନ୍ତୀ:ଶାରଦୀୟ ଦୁର୍ଗା ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ଧରାପୃଷ୍ଠ । ଅନ୍ୟତମ ଶକ୍ତିପୀଠ ହେଉଛି ମାଲକାନଗିରି ତଥା ଛତିଶଗଡର ସୀମାବର୍ତ୍ତିରେ ଅବସ୍ଥିତ ଦନ୍ତବେଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦନ୍ତେଶ୍ବରୀ ପୀଠ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମା‘ ସତୀଙ୍କ ଶରୀର ବିଭିନ୍ନ ଅଙ୍ଗ ଯେଉଁ ସ୍ଥାନଗୁଡିକରେ ପଡିଥିଲା ସେହି ଗୁଡିକ ଏକଏକ ଶକ୍ତୀପୀଠ ରୂପେ ପରିଚିତ । ସେହିଭଳି ଏହି ସ୍ଥାନରେ ମା’ ସତୀଙ୍କର ଦାନ୍ତର ଅଂଶ ପଡିଥିବାରୁ ଏଠାରେ ମାଆ ସତୀ ଦନ୍ତେଶ୍ବରୀଙ୍କ ନାମରେ ପୂଜା ପାଉଛନ୍ତି ।
ଅନ୍ୟପଟେ ଲୋକକଥା ଅନୁଯାୟୀ ତତ୍କାଳୀନ ବସ୍ତର ମହାରାଜ ପ୍ରବିର୍ ସିଂହ ଭଞ୍ଜଦେବ ନିଜ ରାଜ ଉଆସରେ ଗଡଦେବୀ ରୂପେ ଦଣ୍ଡକାରଣ୍ୟର ରାଜା ଦଣ୍ଡକ୍ୟଙ୍କ ଇଷ୍ଟଦେବୀ ମା’ ଦନ୍ତେଶ୍ବରୀଙ୍କୁ ଉପାସନା ଓ ସାଧନା କରିଥିଲେ । ଏହି ଉପାସନାରେ ଖୁସି ହୋଇ ମା’ ତାଙ୍କ ସହ ବସ୍ତର ରାଜଧାନୀ ଜଗଦଲପୁରକୁ ଅସିବା ସମୟରେ ଡାଙ୍କିନି ଓ ଶାଙ୍କିନି ଦୁଇ ନଦୀ ସଂଯୋଗ କରୁଥିବା ମୁହାଣରେ ଅଟକି ଯାଇଥିଲେ । ସେହି ଦିନଠାରୁ ମା’ ମୁହାଣ କୂଳରେ ଦନ୍ତେଶ୍ବରୀ ରୂପେ ପୁଜା ପାଉଛନ୍ତି ।
ଶାଳିନତାପୂର୍ଣ୍ଣ ପୋଷାକ ବିଧେୟ:ମା’ ଦନ୍ତେଶ୍ବରୀଙ୍କ ଶକ୍ତୀ ପୀଠଟି ଓଡିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ସୀମାରେ ଥିବାରୁ ଏଠାକୁ ତିନଟି ରାଜ୍ୟର ଶତାଧିକ ଶ୍ରଦ୍ଧାଳୁ ଧାଇଁ ଆସନ୍ତି । ମାନସିକଧାରୀମାନେ ଶହଶହ କିଲୋମିଟର ଚାଲିଚାଲି ଯାଇ ମା’ଙ୍କ ଦର୍ଶନ କରି ନିଜର ମନୋସ୍କାମନା ପୂରଣ ପାଇଁ ନଦିନ ଯାଏଁ ଅଖଣ୍ଡ ଦୀପ ପ୍ରଜ୍ଜଳନ କରିଥାନ୍ତି । ତେବେ ଭକ୍ତଙ୍କୁ ଶାଳିନତାପୂର୍ଣ୍ଣ ପୋଷକ ପରିଧାନ ପରେ ହିଁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିଥାଏ । ଜିନ୍ସ୍ ବଦଳରେ ଧୋତି ଓ ମହିଳାମାନେ ଶାଢି ଏବଂ ଚୁଡିଦାର ପିନ୍ଧି ମାଆଙ୍କୁ ଦର୍ଶନ କରିବାର ନିୟମ ରହିଛି ।