ଓଡିଶା

odisha

ETV Bharat / state

ଶୋଇଛନ୍ତି ସରକାର, 300 ମିଟର ରାସ୍ତା ପାଇଁ ସାହା ଦେଶୀ ଡଙ୍ଗା

ଏବେ ବି ପୂରଣ ହୋଇ ପାରିନି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ପୋଲ ନିର୍ମାଣ ଦାବି । ସାବେରି ଓ ସିଲେରୁ ଦୁଇ ନଦୀ ଉପରେ ପୋଲ ହୋଇଥିଲେ ବି 300 ମିଟର ରାସ୍ତା ହୋଇ ନଥିବାରୁ ଆଜି ବି ବିଚ୍ଛିନ୍ନାଞ୍ଚଳ ପରି ଜୀବନ କାଟୁଛନ୍ତି ମୋଟୁବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jul 7, 2019, 9:39 PM IST

ମାଲକାନଗିରି: ପୋଲାଭରମ ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ । ହେଲେ ବର୍ଷବର୍ଷ ଧରି ନିର୍ବାଚନକୁ ଖୋରାକ ଯୋଗାଉଥିବା ମୋଟୁ ଅଞ୍ଚଳବାସୀଙ୍କ ସମସ୍ୟା ଯେମିତି ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମୋଟୁର ଦୁଇ ପାର୍ଶ୍ୱରେ ବହି ଚାଲୁଥିବା ସାବେରି ଓ ସିଲେରୁ ନଦୀରେ ଏବେ ବି ଲୋକେ ଡଙ୍ଗାପାରି ହୋଇ ଆନ୍ଧ୍ର ଓ ଛତିଶଗଡକୁ ଯାଉଛନ୍ତି । ସିଲେରୁ ନଦୀ ଉପରେ ଆନ୍ଧ୍ର ସରକାର ପୋଲ ନିର୍ମାଣ କରିଥିବାବେଳେ ଓଡିଶା ସରକାର, ମାତ୍ର 300 ମିଟର ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଛି । ଏହି ରାସ୍ତା ସିଧାସଳଖ ବ୍ରିଜକୁ ସଂଯୋଗ କରିବ । ଯାହାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଆନ୍ଦୋଳନର ଧମକ ଦେଇଛନ୍ତି ମୋଟୁ ଅଞ୍ଚଳବାସୀ ।

ଏବେ ବି ପୂରଣ ହୋଇ ପାରିନି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ପୋଲ ନିର୍ମାଣ ଦାବି । ସାବେରି ନଦୀ ଉପରେ ଛତିଶଗଡ ସରକାର ପୋଲ ନିର୍ମାଣ କାମ ଆରମ୍ଭ କରିଥିବାବେଳେ ସିଲେରୁ ନଦୀ ଉପରେ ଆନ୍ଧ୍ର ସରକାର ପୋଲ ନିର୍ମାଣ କରିସାରିଛନ୍ତି । ଏହି ଦୁଇ ନଦୀ ଉପରେ ବ୍ରିଜ ନିର୍ମାଣ ହେଲେ ଦୁଇ ରାଜ୍ୟ ସହ ମାଲକାନଗିରିକୁ ସିଧାସଳଖ ସଂଯୋଗ କରିବ ବୋଲି ମୋଟୁବାସୀ ଆଶା କରିଥିଲେ ।

ହେଲେ ଆଜି ଓଡିଶା ସରକାରଙ୍କ ଉଦାସୀନତା ପାଇଁ ପୋଲ ଥାଇ ବି ବିଚ୍ଛିନ୍ନାଞ୍ଚଳ ପରି ଦେଶୀ ଡଙ୍ଗା ସାହାରେ ନଦୀ ପାର ହେଉଛନ୍ତି ମୋଟୁ ଅଞ୍ଚଳବାସୀ । ଦେଖନ୍ତୁ ଗୋଟିଏ ଡଙ୍ଗାରେ କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପାରି ହେଉଛନ୍ତି ସ୍ଥାନୀୟ ଲୋକେ ।

ପ୍ରତିଦିନ ଶହଶହ ଲୋକେ ଡଙ୍ଗାରେ ପାରି ହୋଇ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶକୁ ଯାଆନ୍ତି । ଦୀର୍ଘ ୪୦ ବର୍ଷ ଧରି ଓଡିଶା ସରକାର ଲୋକଙ୍କୁ ପ୍ରତିଶୃତି ଦେଇ ଏପର୍ଯ୍ୟନ୍ତ ପୋଲ ନିର୍ମାଣ କରିନାହାଁନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବା ସହ ୧୫ ଦିନ ମଧ୍ୟରେ ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ କରିବା ଲାଗି ଲୋକେ ଧମକ ଦେଇଛନ୍ତି ।

ଏଯାଁଏ ମୋଟୁ ଅଞ୍ଚଳବାସୀଙ୍କ ଲାଗି ରାଜ୍ୟ ସରକାର ପୋଲଟିଏ ନିର୍ମାଣ କରିପାରି ନାହାଁନ୍ତି । ହେଲେ ପଡୋଶୀ ଛତିଶଗଡ ଓ ଆନ୍ଧ୍ର ସରକାର ସହାୟତାର ହାତ ବଢାଇଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରାଶାସନ ମାତ୍ର ୩୦୦ ମିଟର ରାସ୍ତା ନିର୍ମାଣ କରି ନପାରିବା ଲୋକହସାରେ ପରିଣତ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details