ଓଡିଶା

odisha

ETV Bharat / state

ସରକାରୀ ଡାକ୍ତରଙ୍କ କ୍ଲିନିକ୍‌ ପ୍ରେମ, ଶୋଷଣ ହେଉଛନ୍ତି ରୋଗୀ !

ମାଲକାନଗିରି ଜିଲ୍ଲାରେ ରହିଛି ସୁଉଚ୍ଚ ସରକାରୀ ଡାକ୍ତରଖାନା । ଡାକ୍ତରଖାନାର ବାହାରୁ, ଭିତରୁ ସବୁ ଚକାଚକ । କିନ୍ତୁ ରୋଗୀ ଆସିଲେ ଆଖି ବନ୍ଦ କରିଦେଉଛନ୍ତି ଡାକ୍ତର । କିଛି ଜାଣିବା ଆଗରୁ ରୋଗୀଙ୍କୁ ରେଫର କରିଦିଅନ୍ତି ଘରୋଇ କ୍ଲିନିକ ଓ ପାଥୋଲଜିକୁ । ଏପଟେ ଏହି ମାଳ ଉପାନ୍ତ ଅଞ୍ଚଳର ଅଶିକ୍ଷିତ ଲୋକେ ମଧ୍ୟ ଭୟଭୀତ ହୋଇ ଚାଲିଯାଆନ୍ତି କ୍ଲିନିକକୁ । ଆଉ ଏହାର ଫାଇଦା ନେଇ ଲମ୍ବା ଚଉଡା ପରୀକ୍ଷା ଓ ଔଷଧ ଲିଷ୍ଟ ଗାରେଇ ଦିଅନ୍ତି ଏଠାରେ ରହିଥିବା ପ୍ରାଇଭେଟ ଡାକ୍ତର ।

By

Published : Jun 20, 2019, 7:41 PM IST

Updated : Jun 20, 2019, 7:56 PM IST

ଡିଜାଇନ ଫଟୋ

ମାଲକାନଗିରି: ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକେ ସରକାରୀ ଡାକ୍ତରଖାନାରେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଉ ନଥିବାବେଳେ ରୋଗୀଙ୍କ ଚିକିତ୍ସା ଚାଲିଛି ଘରୋଇ କ୍ଲିନିକରେ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ସମଗ୍ର ଜିଲ୍ଲାରେ ମାତ୍ର 16ଟି ଘରୋଇ କ୍ଲିନିକ ପଞ୍ଜିକୃତ ହୋଇଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ଚାଲିଛି 70ରୁ ଉର୍ଦ୍ଧ୍ୱ କ୍ଲିନିକ । ଏନେଇ ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲ୍ୟୁସିଭ ରିପୋର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ସୁବିଧା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହେଲେ ଏସବୁର କେତେ ଫାଇଦା ଲୋକେ ପାଉଛନ୍ତି ତାହା ମାଲାକାନଗିରି ଜିଲ୍ଲାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ଜିଲ୍ଲାରେ ଚିକିତ୍ସାର ସୁବିଧା ପାଇଁ 7 ମହଲା ବିଶିଷ୍ଟ ଏକ ଚିକିତ୍ସାଳୟ ରହିଛି । ଏଥିରେ ରକ୍ତ ଓ ମଳମୂତ୍ର ପରୀକ୍ଷା ପାଇଁ ମଧ୍ୟ ଯନ୍ତ୍ରପାତି ଉପଲବ୍ଧ ଅଛି । କିନ୍ତୁ ଏହା ରୋଗୀଙ୍କ ସୁବିଧାରେ ଲାଗିପାରୁନାହିଁ । ଏଠାରେ କୌଣସି ରୋଗୀ ବିଭିନ୍ନ ପରୀକ୍ଷା ପାଇଁ ଘରୋଇ ପାଥୋଲାବକୁ ଯିବାକୁ ପଡୁଛି । ସରକାରୀ ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଡାକ୍ତର ଘରୋଇ ପାଥୋଲାବକୁ ପଠାଇ ଦେଉଥିବା ଅଭିଯୋଗ ହେଉଛି ।

ସେପଟେ ଲୋକମାନେ ବିଭିନ୍ନ ପରୀକ୍ଷା ପାଇଁ ପାଥୋଲାବକୁ ଆସୁଥିବାରୁ ପାଥୋଲାବରେ ମଧ୍ୟ କିଛି ଡାକ୍ତର ମାନେ ବସି ସେଠାରେ ଅଘୋଷିତ କ୍ଲିନିକ୍‌ ଖୋଲିଛନ୍ତି । ଆଉ ଲୋକଙ୍କୁ ଶୋଷଣ କରୁଛନ୍ତି । ଜିଲ୍ଲାରେ 16 ଟି ସରକାରୀ ପଞ୍ଜିକୃତ କ୍ଲିନିକ୍‌ ଥିବାବେଳେ ପ୍ରାୟ 70ରୁ ଅଧିକ ଏପରି ଅଘୋଷିତ କ୍ଲିନିକ୍‌ ଦେଖିବାକୁ ମିଳୁଛି । ଯାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏ ବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ମାଲକାନାଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jun 20, 2019, 7:56 PM IST

ABOUT THE AUTHOR

...view details