ଓଡିଶା

odisha

ETV Bharat / state

ମାଲକାନଗିରିରୁ ଅଷ୍ଟ୍ରେଲିଆ ଯାତ୍ରା: ଭାରତୀୟ ଭାରୋତ୍ତଳନ ଦଳରେ ସ୍ଥାନ ପାଇଲେ ଆଦିବାସୀ ଯୁବକ

ମାଓଗଡରୁ ସୁଦୂର ଅଷ୍ଟ୍ରେଲିଆ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଲାଲଗଡ କୁହାଯାଉଥିବା ବିଚ୍ଛିନ୍ନାଞ୍ଚଳରେ । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିଚ୍ଛିନ୍ନାଞ୍ଚଳର ଆରଏସସି ଗ୍ରାମର ଜଣେ ଆଦିବାସୀ ଯୁବକ ଭକ୍ତରାମ ଦେସ୍ତି ।

By

Published : Jul 6, 2019, 10:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଓଗଡରୁ ସୁଦୂର ଅଷ୍ଟ୍ରେଲିଆ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଲାଲଗଡ କୁହାଯାଉଥିବା ବିଚ୍ଛିନ୍ନାଞ୍ଚଳରେ । କାରଣ ଇଛା ଶକ୍ତି ଓ ଦୃଢ ବିଶ୍ବାସ ମନରେ ଯଦି ଥାଏ, ତେବେ ଯେତେ ବାଧା ଆସିଲେ ମଧ୍ୟ ପ୍ରତିଭା ଦିନେ ନା ଦିନେ ବିକଶିତ ହେବ । ଏହାକୁ ବାସ୍ତବରେ ପ୍ରମାଣିତ କରି ଭାରତୀୟ ଭାରୋତ୍ତଳନ ଦଳରେ ସ୍ଥାନ ପାଇଛନ୍ତି ବିଚ୍ଛିନ୍ନାଞ୍ଚଳର ଆରଏସସି ଗ୍ରାମର ଜଣେ ଆଦିବାସୀ ଯୁବକ ଭକ୍ତରାମ ଦେସ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଆସନ୍ତା ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସାମୁଆ ଏପିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁବ ରାଜ୍ୟ ଗୋଷ୍ଠୀ ଭାରୋତ୍ତଳନ ପାଇଁ ଭକ୍ତରାମ ମନୋନୀତ ହୋଇଛନ୍ତି । ସେ ଗତ ଜାନୁଆରୀ ୨୦ରୁ ପଞ୍ଜାବର ପଟିଆଲାସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇ ଆସୁଛନ୍ତି । ଭକ୍ତରାମ ଶୁକ୍ରବାର ଭାରତୀୟ ଦଳ ସହ ଦିଲ୍ଲୀରୁ ସାମୋଆ ଗସ୍ତ କରିଛନ୍ତି । ବିଶେଷ କରି ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳର ଆର.ଏସ.ସି ଗ୍ରାମର ଗରିବ ଆଦିବାସୀ ପରିବାରରୁ ଆସିଛନ୍ତି ଭକ୍ତରାମ ।

ବାପା ସଦନ ଦେସ୍ତିଙ୍କ ସହ ପରିବାର ଲୋକେ ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ଭକ୍ତରାମ ୨୦୧୩ ମସିହା ଯାଏଁ ମାଲକାନଗିରି କ୍ରୀଡା ଛାତ୍ରାବାସରେ ତାଲିମ ନେବା ପରେ ୨୦୧୪ ମସିହାରେ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରେ ଭାରୋତ୍ତଳନ ବିଭାଗରେ ମନୋନୀତ ହୋଇଥିଲେ । ପ୍ରଶିକ୍ଷା ସୀତା ଜେନାଙ୍କ ଦ୍ଵାରା ତାଲିମ ପାଇ ସେ ୨୦୧୬ ମସିହାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗୀତାରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ପାଇଥିଲେ ।

ସେହିଭଳି ୱାରାଙ୍ଗଲରେ ଅନୁଷ୍ଟିତ ୪୫/୫୦ କେଜି ଭାରୋତ୍ତଳନ ପ୍ରତିଯୋଗୀତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଓପନ ଇଣ୍ଡିଆୟୁଥ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ମଧ୍ୟ ସ୍ଵର୍ଣ୍ଣ ପଦକ ପାଇଥିଲେ । ମନୋନୟନକାରୀଙ୍କ ଦ୍ଵାରା ଚୟନ ହୋଇ ସେ ପଞ୍ଜାବର ପଟିଆଲାସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଛନ୍ତି ।

ସୂଚନା ମୁତାବକ ଜେଉଁ ଇଲାକାରେ ଚାଲେ ମାଓବାଦୀଙ୍କ ରାଜ ଏମିତିକି ନକ୍ସଲପନ୍ଥୀ ଦିନେ ଅପହରଣ କରିନେଇଥିଲେ । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର.ଭିନିଲ କ୍ରିଷ୍ଣାଙ୍କୁ । ଏହାସହ ଅନେକ ବଡ ବଡ ହିଂସାକାଣ୍ଡ ମାଓବାଦୀମାନେ ଘଟାଉଥିବା ଲାଲଗଡ ଅଞ୍ଚଳରୁ ଦିନେ ଏହି ପ୍ରତିଭାଙ୍କୁ ଚିହ୍ନଟ କରିଥିଲେ ମାଲକାନଗିରିର ପୂର୍ବତନ କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ । ତାଙ୍କୁ ଆଣି ଜିଲ୍ଲା କ୍ରୀଡା ହଷ୍ଟେଲରେ ରଖି ସେ ସ୍ଵତନ୍ତ୍ର ତାଲିମ ଦେଇଥିଲେ ।

ପରେ ଭକ୍ତରାମ ନିଜ ଦୃଢ ଇଛା ଶକ୍ତି ବଳରେ ରାଜ୍ୟ ସ୍ତରରେ ସଫଳତା ପାଇ ବ୍ରହ୍ମପୁର କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ । ମାଓଗଡ ଅଞ୍ଚଳରୁ ଏହି ଆଦିବାସୀ ଛାତ୍ର ଅଷ୍ଟ୍ରେଲିଆ ଯାତ୍ରା କରିବା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ଉଭା ହୋଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details