ଓଡିଶା

odisha

By

Published : Aug 1, 2019, 1:19 PM IST

ETV Bharat / state

ଉପାନ୍ତର ବ୍ୟଥା: ନଈ ପାର ପରେ ପ୍ରାଣ ହରାଇଲେ ଆହତ ସିଆରପିଏଫ୍ ଯବାନ

ବଦଲି ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ସିଆରପିଏଫ୍ ଯବାନଙ୍କୁ ମିଳିପାରିଲାନି ଚିକିତ୍ସା । ଡାକ୍ତରଖାନା ଯିବାକୁ ରାସ୍ତା ନଥିବାରୁ ମଝି ନଈରେ ଚାଲିଯାଇଥିଲା ଯବାନଙ୍କ ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଏଠି ଶତ୍ରୁଠାରୁ ବଳିଯାଉଛି ଅବ୍ୟବସ୍ଥାର ଯନ୍ତ୍ରଣା । ଏବେ ବି ଉପାନ୍ତ ଅଞ୍ଚଳକୁ ପହଞ୍ଚିପାରୁନାହାଁନ୍ତି ସରକାର । ଯେଉଁଥିପାଇଁ ଅକାରଣରେ ବଳିପଡୁଛି ନୀରିହ ଜୀବନ । ସମାନଭାବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ସିଆରପିଏଫ୍ ଯବାନଙ୍କୁ ମିଳିପାରିଲାନି ଚିକିତ୍ସା । କାରଣ ହେଉଛି ଡାକ୍ତରଖାନା ଯିବାକୁ ନଥିଲା ରାସ୍ତା । ଫଳରେ ମଝି ନଈରେ ଚାଲିଯାଇଥିଲା ଯବାନଙ୍କ ଜୀବନ ।

ପୁଷପାଲ୍ ସିଆର୍‌ପିଏଫ୍‌ କ୍ୟାମ୍ପର ଗୁରୁତର ଯବାନ ରୋଶନ କୁମାର । ବୁଧବାର ରାତିରେ ଅପରେସନ ସାରି ଯବାନ ରୋଶନ ଏବଂ ତାଙ୍କର ଅନ୍ୟ ସାଥିମାନେ ବଦଲି ଜଙ୍ଗଲ ରାସ୍ତା ଦେଇ ଆସୁଥିଲେ । ଏହି ସମୟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ରୋଶନ କୁମାର ଆହତ ହୋଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ସାଥିମାନେ ତାଙ୍କୁ କାନ୍ଧରେ ବୋହି କିଛି ବାଟ ଆଣିଥିଲେ । ହେଲେ ବାଟରେ ଏକ ନଦୀ ପଡିଥିଲା । ଯାହାକୁ ପାର କରୁ କରୁ ଅଧା ନଈରେ ଶହୀଦ ହୋଇଯାଇଥିଲେ ରୋଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବସ୍ତର ଜିଲ୍ଲା ଭଳି ଏମିତି କିଛି ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ଯାନବାହନ ତ ଯିବା ଦୂରର କଥା ଚାଲିବାକୁ ମଧ୍ୟ ରାସ୍ତାଟିଏ ନାହିଁ । ସେମିତି ଇଲାକାରେ ବର୍ଷାରେ ଭିଜି ନଦୀ ପାଣିରେ ନିଜ ଆହତ ଯବାନଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ସାଥୀ ଯବାନମାନେ ନଦୀ ପାର କରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନେକ କଷ୍ଟ କରି ରୋଶନଙ୍କୁ ନଦୀ ପାର କରାଇଥିଲେ ମଧ୍ୟ ଜୀବନ ବଞ୍ଚାଇବାରେ ଅସଫଳ ହୋଇଥିଲେ ଅନ୍ୟ ସାଥି ସିଆରପିଏଫ୍ ଯବାନ । ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇ ସାରିଥିଲେ ଗୁରୁତର ଯବାନ ରୋଶନ ।

ସ୍ବାଧୀନତାରେ 72 ବର୍ଷ ପୁରିବାକୁ ଯାଉଥିବାବେଳେ ଆଜି ବି ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଏପରି ବିପର୍ଯ୍ୟସ୍ତ ବ୍ୟବସ୍ଥା ଜଣେ ଯବାନଙ୍କ ଜୀବନ ନେଇଯାଇଛି । ଆଉ ଏଥିରୁ ଅନୁମେୟ ଯେଉଁଠି ସରକାରଙ୍କ ଯୋଜନା ପହଞ୍ଚିପାରୁନି ସେଭଳି ସ୍ଥାନ କାହିଁକି ମାଓବାଦୀଙ୍କ ଆଡ୍ଡାସ୍ଥଳୀ ନପାଲଟିବ ବୋଲି ପ୍ରଶ୍ନ ସଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details