ଓଡିଶା

odisha

ETV Bharat / state

ଶଗଡରେ ଆସିବେ ବିଘ୍ନ ବିନାଶକ - ବିଘ୍ନ ବିନାଶନ ଗଣେଶ

ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶନ ଗଣେଶ । ଏନେଇ ମାଲକାନଗିରିରେ ଚାଲିଛି ପ୍ରସ୍ତୁତି । ବିଭିନ୍ନ ଶୈଳୀରେ ଗଣେଶ ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ଲାଇଟ ସାଉଣ୍ଡ ଶୋ'ର ମଧ୍ୟ ଆୟୋଜନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମାଲକାନଗିରି

By

Published : Aug 31, 2019, 10:06 PM IST

ମାଲକାନଗିରି: ଆଉ ମାତ୍ର ଗୋଟିଏ ଦିନ ବାକି । ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନ ବିନାଶନ ଗଣେଶ । ଏଥିପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗାଁ ଠାରୁ ସହର ଚଳଚଞ୍ଚଳ । ଏନେଇ ସବୁଠି ଚାଲିଛି ମୂର୍ତ୍ତି ନିର୍ମାଣ କାମ । ବଣ୍ଡା ଜନଜାତି ଠାରୁ ଆରମ୍ଭ କରି କୟା ଆଦିବାସୀ ପାଳନ କରିବେ ଗଣେଶ ପୂଜା । ଯେଉଁଥି ପାଇଁ ସେମାନଙ୍କ ଭିତରେ ଦେଖାଦେଇଛି ଉତ୍ସାହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମାଲକାନଗିରି

ହାତରେ ତୂଳି ଧରି କିଏ ମୂର୍ତ୍ତିରେ ରଙ୍ଗ ଭରୁଛି ତ ଆଉ କିଏ ମୂର୍ତ୍ତି ଶୁଖେଇବାରେ ବ୍ୟସ୍ତ । ଚଳିତ ବର୍ଷ ଜିଲ୍ଲାର ପ୍ରାୟ ସବୁଠି ପୂଜା ପାଇବେ ପ୍ରଭୁ ଗଜାନନ । କାରଣ ବନ୍ୟା, ବାତ୍ୟାରୁ ତ୍ରାହି ପାଇଥିବା ଆଦିବାସୀମାନେ ଗଜାନନଙ୍କ ଆରାଧନା କରିବା ଲାଗି ଖୁବ ଉତ୍ସାହିତ ଅଛନ୍ତି । ସେଥିପାଇଁ ସବୁଠି ବିଭିନ୍ନ ଢଙ୍ଗରେ ତିଆରି ହୋଇଛି ମେଢ । ଦିନରାତି ଏକ୍ କରି କାମରେ ଲାଗିଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା କାରିଗର ।

ଅର୍ଡରକୁ ଆଖିରେ ରଖି ବର୍ଷାକୁ ଖାତିର ନକରି ନିଜ କାମ ଯଥାଶୀଘ୍ର ଶେଷ କରିବାରେ ଲାଗିଛନ୍ତି ସବୁ କାରିଗର । ଆଉ ମୂର୍ତ୍ତିର ଦାମ ୬୦ଟଙ୍କାରୁ ଆରମ୍ଭ କରି ୨୫୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ମୂର୍ତ୍ତି କିଣିବା ପାଇଁ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ । ଏପଟେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଭୁ ଗଣପତିଙ୍କ ନିଆରା ମୂର୍ତ୍ତି, ଭଳିକି ଭଳି ଆଲୋକ ସହ ରକ୍ତଦାନ ଶିବିର ଆଦି ସମାଜ ସେବାର ବ୍ୟବସ୍ଥା କରାଯାଉଛି ।

ବ୍ଲକ କଲୋନୀ ପୂଜା ପେଣ୍ଡାଲରେ ଆକର୍ଷଣ ସାଜିଛନ୍ତି ଶଗଡରେ ୧୦ଫୁଟର ଗଣେଶ ମୂର୍ତ୍ତି ।
ମାଲକାନଗିରି ବସଷ୍ଟାଣ୍ଡ ସାହି କମିଟି ମଧ୍ୟ ୧୫ ଫୁଟର ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଡି.ଏନ.କେ ମେଡିକାଲ ଛକ ପୂଜା କମିଟି ମଧ୍ୟ ବିଜ୍ଞାନ ଯୁଗକୁ ଗୁରତ୍ଵ ଦେଇ ନୂତନ ଶୈଳୀର ଗଣେଶ ମୂର୍ତ୍ତି ନିର୍ମାଣ କରିଛି ।

ଭଗବାନଙ୍କ ପୂଜା ସାଙ୍ଗକୁ ସମାଜ ସେବା ଉପରେ ଗୁରୁତ୍ଵ ଦେଇ ସହରକୁ ସଫା କରିବା ସହ ସ୍ବଚ୍ଛ ଭାରତର ସ୍ଲୋଗାନକୁ ପ୍ରତି ଘରେ ପହଞ୍ଚାଇବାର ଯୋଜନା ରଖିଛି । ଏହାସହ ବସଷ୍ଟାଣ୍ଡ ପୂଜା ମଣ୍ଡପରେ ୨୧ଦିନ ଧରି ପୂଜା ପାଇବେ ବିଘ୍ନନାଶକ । ପ୍ରତିଦିନ ଅନ୍ନ ପ୍ରସାଦ ସହ ଦର୍ଶନର ବ୍ୟବସ୍ଥା କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details