ମାଲକାନଗିରି: ବାରମାସରେ ତେର ପର୍ବ ପାଇଁ ସାରା ବିଶ୍ବରେ ଓଡିଶାର ରହିଛି ବେଶ୍ ନାମ । ପ୍ରତିଦିନ କିଛି ନା କିଛି ପର୍ବ ସହ ଏକତାକୁ ବେଶ୍ ଆଡମ୍ବରରେ ପାଳନ କରନ୍ତି ରାଜ୍ୟବାସୀ । ଏହି ପର୍ବମାନଙ୍କରେ ଗୋଟିଏ ପର୍ବ ହେଉଛି ବଡପର୍ବ । ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ପାଳନ ହୁଏ ଏହି ପର୍ବ । ତେବେ ଏହାର ବିଶେଷତ୍ବ ହେଉଛି କି ଏହି ପର୍ବ ପାଳନ କରିବା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାର ଯଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ ।
ଭିନ୍ନ ଏହି ବଡଯାତ୍ରା ପର୍ବରେ କାନାମରାଜୁ, ବାଲାରାଜୁ, ପୋତରାଜୁ ଓ ଦେବୀ ମୁତ୍ୟେଲୁଆମ୍ମା ପୂଜା ପାଇଥାଆନ୍ତି । ସୁଦୂର ଆନ୍ଧ୍ରପ୍ରଦେଶ ପୋଲେରୁଠାରୁ ଆରମ୍ଭ ହୁଏ ଯାତ୍ରା । ଆଦ୍ୟ ପୂଜାବିଧି ସାରି ଦୀର୍ଘ 100 କିଲୋମିଟର ପଦଯାତ୍ରା କରି ମାଲକାନଗିରିରେ ଆସି ପହଞ୍ଚନ୍ତି ଠାକୁର । ତେବେ ଜିଲ୍ଲାର 3 ଭିନ୍ନ ସ୍ଥାନରେ 4 ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ଠାକୁରଙ୍କ ଦର୍ଶନ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟେ ଭକ୍ତଙ୍କ ଭିଡ ।
କାହିଁ କେଉଁ ଆଦିମ କାଳରୁ ବିଶ୍ବାସ ରହିଆସିଛି କି ବଡଯାତ୍ରାରେ ଠାକୁରଙ୍କ ଦର୍ଶନ କରି ଯିଏ ଯାହା ମନାସେ ତାହା ପାଏ । ତେଣୁ କିଏ ଠାକୁରଙ୍କ ପାଖରେ ମାନସିକ ରଖି ପଶୁବଳୀ ଦିଏ ତ କିଏ ଆସ୍ଥାର ସହ ଭୋଗ ଚଢାଇ ଦୀପ ଜଳାଇଥାଏ । ତେବେ ଆନ୍ଧ୍ର-ଓଡିଶା ରାସ୍ତାରେ ମାନ୍ୟମକୋଣ୍ଡା, କାଲିମେଳା, କାଙ୍କୁରୁକୋଣ୍ଡା, ଶିଖପାଲ୍ଲି ଓ ତମାସା ଆଦି ଗାଁରେ ଅଟକି ଦେବୀ ମୁତ୍ୟେଲୁଆମ୍ମା ବଳି ପୂଜା ପାଇଥାଆନ୍ତି । ଏହାପରେ ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ବାର କନ୍ୟାମାଝି ବନ୍ଧଠାରେ ଠାକୁରଙ୍କ ଆଗମନ ହୁଏ । ଯେଉଁଠି ଭକ୍ତମାନେ ମାନସିକ ରଖି ପୂଜାର୍ଚ୍ଚନା କରିବା ସହ ଛେଳି, କୁକୁଡା ଓ ବତକ ଆଦି ବଳି ପକାଇଥାଆନ୍ତି ।