ମାଲକାନଗିରି :ପୌରପରିଷଦରେ ଦୁର୍ନୀତି ସୀମା ଲଂଘିଛି । ଏହି ପୌରପରିଷଦ ଅଧୀନରେ ରହିଥିବା ୧୯ଟି ଓ୍ବାର୍ଡରେ ମୁକ୍ତା ଯୋଜନାରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ ମହିଳା ଓ ପୁରୁଷ କର୍ମୀ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିରେ ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ବିଶେଷକରି ୮ନମ୍ବର ଓ୍ବାର୍ଡରେ ମୁଖ୍ୟ କେନାଲଠାରୁ ପାକନାଗୁଡା ପର୍ଯ୍ୟନ୍ତ ୪୧୯ ମିଟର ରାସ୍ତା ପାଇଁ ୨୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬୮ ମିଟର ରାସ୍ତାରେ ଫେବର ପକାଯାଇଛି । ଯାହା ସମ୍ପୂର୍ଣ୍ଣ ନିମ୍ନମାର ହୋଇଛି ।
ସେହିପରି ୨୫୮ ମିଟର କାମ ସମାପ୍ତ ହୋଇନାହିଁ । ୧୬୮ ମିଟର ଯେଉଁ କାମ ହୋଇଛି ତାହା ସମ୍ପୂର୍ଣ୍ଣ ଦବି ଯାଇଛି । ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଏବଂ ବିଲ୍ଡିଂ ମେଟେରିଆଲ ଦ୍ବାରା ଟେଷ୍ଟ କରାଯାଇଥିବା ଇଟା ଏହି ରାସ୍ତାର କାମରେ ନିୟୋଜିତ ହେବା କଥା । କିନ୍ତୁ ଏହି ନିୟମକୁ ବେଖାତିର କରି ସ୍ଥାନୀୟ ନିମ୍ନମାନର ଫେବରର ଇଟା ପକାଯାଇଥିବାରୁ ଏହା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ତୁରନ୍ତ ଏହି କାମର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।