ମାଲକାନଗିରି: ସାରା ଦେଶରେ କୋରୋନା କଟକଣା ଲାଗି ରହିଥିବାବେଳେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ଶହ ଶହ ଆଦିବାସୀ ଏକତ୍ରିତ ହୋଇଛନ୍ତି । ଏହି ପ୍ରଜାମେଳିର ନା’ ଥିଲା ସାମାଜିକ ଦୂରତା ନା' ଥିଲା ମୁହଁରେ ମାସ୍କ । 2 ଦଫା ଦାବି ନେଇ 3ଟି ପଞ୍ଚାୟତର ଶତାଧିକ ଲୋକ ପ୍ରଶାସନ ବିରୋଧରେ ଗର୍ଜିଥିଲେ ।
3 ମାସ ହେବ ସ୍ଵାଭିମାନ ଅଞ୍ଚଳରେ ଲଞ୍ଚ ସେବା ବନ୍ଦ ରହିଥିବାବେଳେ ଲୋକେ ଏବେ ପାଣି ଘେରରେ ବନ୍ଦୀ ଜୀବନ ବିତାଉଛନ୍ତି । ସାରା ଦେଶରେ ଲକଡାଉନ କୋହଳ ହୋଇଥିବାରୁ ଗାଡି ଚଳାଚଳ ସ୍ବାଭାବିକ ହୋଇଛି । କିନ୍ତୁ ସ୍ବାଭିମାନ ଅଞ୍ଚଳରେ ସବୁ ଓଲଟା ଚାଲିଛି । 3 ମାସ ଧରି ବନ୍ଦୀ ଜୀବନଯାପନ କରିବା ପରେ ତୁରନ୍ତ ଲଞ୍ଚ ଚଳାଇବା ନେଇ ଦାବି ହୋଇଛି । ଲଞ୍ଚ ବନ୍ଦ ଯୋଗୁଁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଥିବାବେଳେ ଅତ୍ୟାବଶକୀୟ ଜିନିଷ ମଧ୍ୟ ସ୍ବାଭିମାନ ଅଞ୍ଚଳକୁ ଯାଇପାରୁନାହିଁ ।