ମାଲକାନଗିରି:ଘରେ ମାତ୍ର 2ଟି ଲାଇଟ୍ । ନା ଚାଲୁଛି ପଙ୍ଖା ନା ଅଛି ଟିଭି । ତଥାପି ବିଜୁଳି ବିଲ୍ ମାସକରେ 20 ହଜାର ପାର । କୋରୋନା ମହାମାରୀ ସମୟରେ ଲୋକେ ଯେତିକି ସମସ୍ୟାର ସମ୍ମୁଖିନ ହେଉଥିଲେ ଏବେ ଏହି ବିଦ୍ୟୁତ ବିଲ୍ ଲୋକଙ୍କ ପାଇଁ ବୋଝ ଉପରେ ନଳୀତା ବିଡ଼ା ସଦୃଶ୍ୟ । ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା ମୋଟୁ ତହସିଲ୍ ଅନ୍ତର୍ଗତ 79 ଗ୍ରାମରେ ଦେଖିବାକୁ ମିଳିଛି ।
ସାରା ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ମୋଟୁ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍ ବିଲକୁ ନେଇ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଛି । ସାଉଥକୋ ବିଦ୍ୟୁତ୍ ସରବରାହ ସଂସ୍ଥା ପକ୍ଷରୁ ଏହି ଅଞ୍ଚଳକୁ ବିଦ୍ୟୁତ୍ ସରବରାହ କରାଯାଉଥିବା ବେଳେ ଗତ ଗୋଟେ ମାସ ମଧ୍ୟରେ ଆସିଥିବା ବିଲକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମାତ୍ରାଧିକ ବିଦ୍ୟୁତ୍ ବିଲକୁ ନେଇ ଉପଭୋକ୍ତା ଅସନ୍ତୋଷ ଏମଭି ୭୯ ଗ୍ରାମର ନାରାୟଣ ଚନ୍ଦ୍ର ନାଥ ଗତ ଜୁନ ମାସର ବିଲରେ ୪ ହଜାର ଟଙ୍କା ଥିବା ବେଳେ ଚଳିତ ମାସ ବିଲ ୨୩ ହଜାର ଟଙ୍କା ଆସିଥିବା ଜଣାପଡ଼ିଛି । ସେହିପରି ଏହି ଗ୍ରାମର ସୁଜିତ ହାଲଦାରଙ୍କ ଜୁନ ମାସରେ ପ୍ରାୟ ୬ ହଜାର ଟଙ୍କା ବିଲ ଥିବାବେଳେ ଚଳିତ ମାସରେ ୫୦ ହଜାର ୯ ଶହ ୩୩ ଓ ସରଜିତ ମଣ୍ଡଲଙ୍କ ୩ ମାସ ପୂର୍ବରୁ ୨୭ ଶହ ଟଙ୍କା ଥିବାବେଳେ ଚଳିତ ମାସରେ ଆସିଥିବା ବିଲ ୨୮ ହଜାର ୭ ଶହ ୭୭ ଟଙ୍କା ଉଲ୍ଲେଖ ରହିଛି ।
ଗତ କିଛି ମାସ ଧରି ଲକଡାଉନ୍ ଯୋଗୁଁ ଜୀବନ ଜୀବିକାକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏତେ ମାତ୍ରାରେ ବିଦ୍ୟୁତ୍ ବିଲ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗୋଟିଏ ପରିବାର ଆବଶ୍ୟକ ମୁତାବକ ବିଦ୍ୟୁତ୍ ଖର୍ଚ୍ଚ କରାଯିବା ସହ ହାତ ଗଣତି ବୈଦ୍ୟୁତିକ ସରଞ୍ଜାମ ଚଳାଉଥିବା ଘରେ ଏତେ ମାତ୍ରାରେ ବିଲ୍ କିପରି ଆସୁଛି ସେନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ବିଦ୍ୟୁତ୍ ବିଲରେ ଅଚାନକ ଏଭଳି ବୃଦ୍ଧିକୁ ଲୋକେ ଗ୍ରହଣ ନକରିବା ସହ ବିଦ୍ୟୁତ୍ ସରବରାହ ସଂସ୍ଥା ଓ ସେମାନଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ହେଉଥିବା ଅଭିଯୋଗ ହୋଇଛି ।
ପଡିଆ, ଏମଭି- ୭୯ ଓ ଆଖପାଖ ଅଞ୍ଚଳରେ ଅନେକ ସମୟରେ ଏଭଳି ମାତ୍ରାଧିକ ବିଲ୍ ଆସୁଥିବାରୁ ଲୋକେ ନିଜ ଗାଁ ଠାରୁ ଜିଲ୍ଲା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ନିଜର ଅଭିଯୋଗ ଜଣାଉଥିବା ଦେଖିବାକୁ ମିଳୁଛି । ବିଦ୍ୟୁତ୍ ସରୋବରାହ ସଂସ୍ଥାର ଏଭଳି ମାତ୍ରାଧିକ ବିଲ୍ ବଣ୍ଟନକୁ ବିଭାଗ ପକ୍ଷରୁ ତଦନ୍ତ କରି ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ମହଲରେ ଦାବି ହୋଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ