ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଏକ ଚୋରି ଘଟଣାରେ ୪ ଜଣ ନାବାଳକକୁ ଗିରଫ କରି ତାଙ୍କୁ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍ ଆଘାତ ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା। ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୋଲିସ ଚାରି ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଦ୍ଧୁମ ମାରିଥିଲା। ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୋଲିସ ସେମାନଙ୍କୁ ତିନି ଦିନ ଧରି ଜେଲରେ ରଖି ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ଆଘାତ ଦେଇଥିବା ପରିବାର ଲୋକେ ଏବଂ 4 ନାବାଳକ ଅଭିଯୋଗ କରିଛନ୍ତି।
ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡଡିଗ୍ରୀ ଏପରିକି ବାହାରର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ ସୋମବାର କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି। ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଏସପି ସାକ୍ଷାତ ନକରିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏପଟେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏମାନେ ପୂର୍ବରୁ ମଧ୍ୟ ଚୋରିକାମ କରିଥିବା ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ କହିଛନ୍ତି । ଏପରିକି ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି ବୋଲି ସେ ଯୁକ୍ତି ବାଢିଛନ୍ତି। ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ