ମାଲକାନଗିରି: ଦନ୍ତେୱାଡାରେ ମାଓ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି (ଗୁରୁବାର) ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ବାଘେଲ ଦନ୍ତେୱାଡା ପୋଲିସ ପେରେଡ ଗ୍ରାଉଣ୍ଡ ଠାରେ ପହଞ୍ଚି ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶହୀଦଙ୍କୁ ଗାର୍ଡ ଅଫ୍ ଅନର ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ, ସାଂସଦ ଦୀପକ ବୈଜ, ଫୁଲଦେବୀ ନେତାମ ଓ ଡିଜିପି ଅଶୋକ ଜୁନେଜା ମଧ୍ୟ ପୋଲିସ ପଡିଆରେ ଶହୀଦଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଏହି ସମୟରେ ବାଘେଲ ଶହୀଦଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ସାନ୍ତ୍ବନା ଦେଇଛନ୍ତି । ଆଉ କିଛି ସମୟ ମଧ୍ୟରେ ୧୦ ଶହୀଦ ଯବନଙ୍କ ପାର୍ଥିବ ଶରୀର ସେମାନଙ୍କ ପୈତୃକ ଗ୍ରାମ ଅଭିମୁଖେ ନିଆଯିବ ।
ଶହୀଦ ଯବାନଙ୍କ ପରିବାର ବର୍ଗ ମଧ୍ୟ ପୋଲିସ ପଡିଆ ଠାରେ ଉପସ୍ଥିତ ଅଛନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ପୁଅକୁ ହରାଇ ମାଆ କାନ୍ଦି କାନ୍ଦି ତଳେ ଲୋଟି ପଡୁଥିବାବେଳେ ସ୍ବାମୀକୁ ହରାଇ ପତ୍ନୀ ମୁକ ପାଲଟି ଯାଇଛି । ଦନ୍ତେୱାଡା ପୋଲିସ ପକ୍ଷରୁ ଶଦୀଦଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦିଆଯାଉଛି । ଗତକାଲି ରାତିରେ ଶହୀଦ ଯବାନମାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଦନ୍ତେୱାଡା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ଆଜି ସକାଳେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପେରେଡ ଗ୍ରାଉଣ୍ଡକୁ ଅଣାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଏହାମଧ୍ୟ ପଢନ୍ତୁ: Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ