ମାଲକାନଗିରି: ମୋଟୁ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲାର ଚିନ୍ତୁରରେ ଡଙ୍ଗା ବୁଡି । ପୋଲରେ ଧକ୍କା ହୋଇ ବୁଡି ଗଲା ଡଙ୍ଗା । ପାଣିରେ ଭାସି ଯାଇ ଜଣେ ନିଖୋଜ ।
ରିଲିଫ୍ ବାଣ୍ଟିସାରି ଫେରିଲାବେଳେ ଡଙ୍ଗାବୁଡି, ଜଣେ ନିଖୋଜ ସୂଚନା ମୁତାବକ, ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ପାଇଁ ଚାରି ଜଣ ସରକାରୀ କର୍ମଚାରୀ କୋଦେରୁ ଅଞ୍ଚଳକୁ ରିଲିଫ ସାମଗ୍ରୀ ବାଣ୍ଟିବାକୁ ଯାଇଥିଲେ । ରିଲିଫ୍ ବଣ୍ଟନ କରି ରାତି ପ୍ରାୟ ସାଢେ ସାତଟା ସମୟରେ ଫେରୁଥିଲେ । ତେବେ ଚିନା ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଚିନ୍ତୁର ଗ୍ରାମ ନିକଟରେ ପୋଲ ଉପରେ ପାଣି ବୁଡି ରହିଥିଲା । ଫଳରେ ପୋଲ ପାର ପାଇଁ ସେମାନେ ଡଙ୍ଗାର ସାହାଯ୍ୟ ନେଇଥିଲେ ।
ଅନ୍ଧାର ସହ ପାଣିର ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗା ଭାରସାମ୍ୟ ହରାଇ ଧାରକୁ ଚାଲିଯାଇଥିଲା । ଧୀରେ ଧୀରେ ଡଙ୍ଗା ସମ୍ପୂର୍ଣ୍ଣ ଭାରସାମ୍ୟ ହରାଇ ପୋଲ ପାର୍ଶ୍ବରେ ଥିବା ଖୁଣ୍ଟରେ ପିଟି ହୋଇ ଭାଙ୍ଗିଯାଇଥିଲା । ଫଳରେ ଡଙ୍ଗାରେ ଥିବା ଚାରି ଜଣ ଚିତ୍କାର କରିଥିଲେ ସ୍ଥାନୀୟ ଲୋକେ ଏହା ଶୁଣି ତିନିଜଣଙ୍କୁ ଉଦ୍ଧାର କରିଥିଲାବେଳେ ଆଉ ଜଣେ ପାଣିର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି ।
ଖବରପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ଯାତାୟାତକୁ ବାରଣ କରାଯାଇଛି । ସେହିପରି ଭାସିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଓ ପୋଲିସ ବିଭାଗ ଜୋରସୋରରେ ଲାଗିପଡିଛନ୍ତି । ସେପଟେ ଉଦ୍ଧାର କରାଯାଇଥିବା ତିନିଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ