ଓଡିଶା

odisha

ETV Bharat / state

ଉଜ୍ଜ୍ୱଳା ଯୋଜନାରେ ଯୋଗ ଦେବାକୁ ଯାଇ ଫେରିଲେନି 3 ଆଦିବାସୀ

ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନଟି ସଲପ ପଦର ଗାଁ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

By

Published : Feb 12, 2019, 4:33 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ମାଲକାନଗିରି: ସରକାରଙ୍କ ଉଜ୍ଵଳା ଯୋଜନାରେ ଯୋଗ ଦେବାକୁ ଯାଉଥିବା ଆଦିବାସୀଙ୍କ ଜୀବନ ହେଲା ଅନ୍ଧକାର । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆଜି ବିଜେପି ପକ୍ଷରୁ ଉଜ୍ଵଳା ଯୋଜନାକୁ ନେଇ ଦଳୀୟ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଏଥିରେ ଯୋଗ ଦେବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଦିବାସୀଙ୍କ ଘରେ ଘରେ ଅନ୍ଧକାର ଦୂର କରିବ ସରକାରଙ୍କ ଉଜ୍ଵଳା ଯୋଜନା ଏହି ଡାକରା ପାଇ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରି ଥିଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଅନେକ ଗାଁ ଲୋକେ । ହେଲେ ସିରିଗୁଡା ଓ ପାତ୍ରଗୁଡା ଗାଁର ପ୍ରାୟ ୨୦ ଜଣ ଲୋକ ଯେଉଁ ଗାଡିରେ ସଭାସ୍ଥଳକୁ ଯାଉଥିଲେ । ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନଟି ସଲପ ପଦର ଗାଁ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

ଆହତମାନଙ୍କୁ ପ୍ରଥମେ ମାଥିଲି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି । ଯେଉଁଠି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି । ସରକାରଙ୍କ ଯୋଜନା ଆଶାରେ ଘରୁ ବାହାରି ଥିଲେ ଅନେକ ଆଦିବାସୀ ଲୋକେ । ହେଲେ କିଏ ଜାଣିଥିଲା ଦଇବ ସେମାନଙ୍କ ଉପରେ ଏପରି ଦାଉ ସାଜିବ ।

୯ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଘରେ ଛାଡି ଆସିଥିବା ସୁନ୍ଦରା ଖରା ଆଉ ଘରକୁ ଫେରିବେ ନାହିଁ ବୋଲି କେମିତି ବିଶ୍ବାସ କରି ପାରିବେ ତାଙ୍କ ସ୍ତ୍ରୀ ଦୈମତି । ଏଣେ ପୁଅକୁ ହରାଇ ଥିବା ମାଆ ଲକ୍ଷ୍ମୀ ଖରା ମଧ୍ୟ ଗୁରୁତର ଆହତ ହୋଇ ଜିଲ୍ଲା ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଜିଲ୍ଲା ସଦର ଚିକିତ୍ସାଳୟରେ ଓ ୩ ଜଣ ମାଥିଲି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏତେ ବଡ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରୁଛି ପୋଲିସ ।

ଦୁର୍ଘଟଣା ପରେ ବନ୍ଦ ହୋଇ ଯାଇଛି ବିଜେପିର ଉଜ୍ଜ୍ବଳା କାର୍ଯ୍ୟକ୍ରମ । ମାଥିଲି ସଭା ସ୍ଥଳରୁ ବିଜେପିର ସମସ୍ତ ବ୍ୟାନର ପୋଷ୍ଟର ହଟି ଯାଇଥିବା ବେଳେ ଫେରାର ହୋଇ ଯାଇଛନ୍ତି ସମସ୍ତ ନେତା । ଘଟଣାର ତଦନ୍ତ ଲାଗି ପୋଲିସ ଏବେ ସେମାନଙ୍କୁ ଖୋଜୁଛି ।

ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details