ମାଲକାନିଗିରି:ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋର ଓ ପଞ୍ଜାବର ଅମୃତସର ଠାରେ ଆୟୋଜିତ ଯୁବ ମହୋତ୍ସବକୁ ଯିବା ପାଇଁ ମାଲକାନଗିରି ଜିଲ୍ଲାର ୩୦ ଜଣ ଆଦିବାସୀ ଯୁବକ ଯୁବତୀ ଚୟନ ହୋଇଛନ୍ତି । ଯୁବ ମହୋତ୍ସବରେ ସାମିଲ ହୋଇଥିବା ଯୁବକଯୁବତୀଙ୍କୁ ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ସମ୍ବର୍ଦ୍ଧ୍ବନା ଦିଆଯାଇଛି । ବିଏଏସେଫ କମାଣ୍ଡାଣ୍ଟ ଶିବ ଓମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଯାତ୍ରାର ସଫଳ କାମନା କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏଫ ବାଟାଲିୟନର ଏ. କେ ସିଂ, ଡେପୁଟି କମାଣ୍ଡେଣ୍ଡ ଶୁଭ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ରଦ୍ଧାକର ପାଢ଼ୀ, ନେହେରୁ ଯୁବକେନ୍ଦ୍ରର ପ୍ରତିନିଧି ସନ୍ତୋଷ ପାତ୍ର ଏବଂ ଅନ୍ୟାନ୍ୟ ବିଏସ୍ଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ଆୟୋଜିତ ଯୁବ ମହୋତ୍ସବକୁ ଯାଇଥିବା ୩୦ ଜଣ ପ୍ରାର୍ଥୀ ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମରୁ ଆସିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରକୁ ୧୦ଜଣ ଓ ପଞ୍ଜାବ ଅମୃତସରକୁ ୨୦ ଜଣ ଯୁବଗୋଷ୍ଠୀଙ୍କୁ ପଠାଯାଇଛି । ସେମାନଙ୍କ ମଧ୍ୟରେ ୮ ଜଣ ଯୁବତୀ ଅଛନ୍ତି । ୩ ଜଣ ବିଏସ୍ଏଫ୍ ଅଧିକାରୀ ସେମାନଙ୍କ ସହିତ ଏସକର୍ଟ ଭାବରେ ଯାଇଛନ୍ତି । ଏହି ଭ୍ରମଣ ସମୟରେ ଯୁବଗୋଷ୍ଠୀମାନେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଓ ପଞ୍ଜାବର ଅମୃତସରରେ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ।