ଓଡିଶା

odisha

ETV Bharat / state

'ଯୁବଗୋଷ୍ଠୀ ବିକାଶ ଦିଗରେ ନିଜକୁ ସକ୍ରିୟ କରିବା ଆବଶ୍ୟକ'

ବିଶ୍ୱବିଦ୍ୟାଳୟ ଯୁବଗୋଷ୍ଠୀକୁ ନିଜ ଭିଟାମାଟି, ଗାଁ ଗଣ୍ଡାର ପ୍ରଗତି କ୍ଷେତ୍ରରେ ନିୟୋଜିତ ହେବାର କଳା, ଦକ୍ଷତା ଓ ଆଗ୍ରହ ସୃଷ୍ଟି କରାଇବା ଆବଶ୍ୟକ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି ପି.ଭି.କ୍ରିଷ୍ଣା ଭଟ୍ଟ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି।

By

Published : Apr 3, 2019, 3:46 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ବିଶ୍ୱବିଦ୍ୟାଳୟ ଯୁବଗୋଷ୍ଠୀକୁ ନିଜ ଭିଟାମାଟି, ଗାଁ ଗଣ୍ଡାର ପ୍ରଗତି କ୍ଷେତ୍ରରେ ନିୟୋଜିତ ହେବାର କଳା, ଦକ୍ଷତା ଓ ଆଗ୍ରହ ସୃଷ୍ଟି କରାଇବା ଆବଶ୍ୟକ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି ପି.ଭି.କ୍ରିଷ୍ଣା ଭଟ୍ଟ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଛନ୍ତି। ଆଜି ଉଚ୍ଚଶିକ୍ଷିତ ହେବାପରେ ଯୁବଗୋଷ୍ଠୀ ନିଜ ଅଞ୍ଚଳର ବିକାଶ ଦିଗରେ ନିଜକୁ ସକ୍ରିୟ ଭାବେ ନିୟୋଜିତ କରିପାରୁନଥିବା ଯୋଗୁଁ ପଛରେ ପଡିଯାଇଥିବା ଅଞ୍ଚଳ ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇପାରୁନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ୧୦ ବର୍ଷ ପୂରଣ ହୋଇସାରିଥିଲେ ହେଁ ପ୍ରତିଟି ବିଭାଗରେ ସ୍ଥାୟୀ ଅଧ୍ୟାପକଙ୍କ ଘୋର ଅଭାବ ସାଙ୍ଗକୁ ବିଭାଗ ଗୁଡିକରେ ଆକର୍ଷଣୀୟ ବିଷୟ ବସ୍ତୁନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପକ୍ଷରେ ଏହି ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଚୟନରେ ଅଗ୍ରସ୍ଥାନ ଦେବା ସମ୍ଭବ ହୋଇପାରୁନାହିଁ। ଗତ ଦୁଇଦିନ ଧରି ପ୍ରଫେସର ଭଟ୍ଟ ଛାତ୍ରଛାତ୍ରୀ , ଅଧ୍ୟାପକ , ପରିଚାଳନା ଅଧିକାରୀ ଓ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ଏହି ବିଶ୍ୱବିଦ୍ୟାଳୟର ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଏ ସଂକ୍ରାନ୍ତରେ ସେ ମାନବ ସମ୍ବଳ ମନ୍ତ୍ରାଳୟ ସହ ଚର୍ଚ୍ଚା କରିଛନ୍ତି ଓ ନିର୍ବାଚନ ସରିବା ପରେ ସକରାତ୍ମକ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି । ବିଶ୍ୱବିଦ୍ୟାଳୟରେ ନୂତନ ଏକାଡେମିକ ଓ ଆଡ଼ମିନିଷ୍ଟ୍ରେଟିଭ ଭବନ ସମେତ ଦୁଇଟି ପାଠାଗାର, ୬୧ ଟି ଷ୍ଟାଫ କ୍ବାର୍ଟର ଓ ୨ଟି ଛାତ୍ରାବାସ ନିର୍ମାଣ କରିବା ପାଇଁ ୨୮୯ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ ଏକ ନୂତନ ଦିଗନ୍ତ ଆଡକୁ ପାଦ ବଢ଼ାଉଥିବା ବେଳେ ଏହି ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ବିଶ୍ୱବିଦ୍ୟାଳୟ ସହ କାନ୍ଧରେ କାନ୍ଧ ମିଳାଇ ଠିଆ ହେବାକୁ ଥିବା ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ଏସ.କେ.ପାଲିତ ଓ ରେଜିଷ୍ଟ୍ରାର ଅସିତ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details