କୋରାପୁଟ: ଶୀତୁଆ ସକାଳର ପ୍ରବଳ କୁହୁଡ଼ି ସହିତ ଲୋକଙ୍କୁ ସ୍ବାଗତ କରିଛି କୋରାପୁଟର ପ୍ରକୃତି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା ମାଳମାଳ କୁହୁଡି ତାର କୋମଳ ସ୍ପର୍ଶରେ ଗଛଲତା, କୀଟ ପତଙ୍ଗ ସମେତ ପ୍ରତିଟି ଜଡ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି କରିବା ପାଇଁ ଅନୁପ୍ରାଣିତ କରିଛି । ଜଳବାୟୁ ପରିବର୍ତ୍ତନର ଚାପରେ ଶୀତର ପରିମାଣ ଆଗ ଅପେକ୍ଷା କମି ଆସୁଥିଲେ ବି ସକାଳ ପହରରେ ସହର ଓ ଗାଁ ଉପକଣ୍ଠରେ ଚଲାବୁଲା କରୁଥିବା ବ୍ୟକ୍ତି ତାର ଶୀତଳ ସ୍ପର୍ଶରେ ଉଲ୍ଲସିତ ହୋଇ ଉଠୁଛନ୍ତି ।
ବିଶେଷକରି ସକାଳ ଆଠଟା ପର୍ଯ୍ୟନ୍ତ କୁହୁଡିର ଚାଦରେ ଘୋଡେଇ ରଖିଥାଏ ସମଗ୍ର ଅଞ୍ଚଳ । ଏହି ଖୁସିକୁ ସାଉଁଟିବା ପାଇଁ କିଛି ଲୋକେ ସକାଳୁ ପ୍ରାତଃଭ୍ରମଣ ପାଇଁ ବାହାରନ୍ତି ତ ଆଉ କିଛି ଲୋକେ ଚା’ ଦୋକାନରେ ବାମ୍ଫ ଉଠୁଥିବା ଚା' ପିଇବା ପାଇଁ ଚାଲି ଆସନ୍ତି । କିଛି ଲୋକେ ବ୍ୟାୟମ କରିବା ଆଳରେ ନିରୋଳା ଜାଗାରେ ମନକୁ ହାଲୁକା କରିବା ପାଇଁ ମଧ୍ୟ ଶୀତ କୁହୁଡିରେ ବାହାରି ପଡନ୍ତି ।