କୋରାପୁଟ: ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଜାନୀଗୁଡ଼ା ଗ୍ରାମ ନିକଟରେ NALCO ପକ୍ଷରୁ ରେଡମଡ ପଣ୍ଡ ନିର୍ମାଣ କରାଯାଉଛି । ଏହାକୁ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି । ଏ ନେଇ ସେମାନେ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କୁ ଭେଟି ନିଜ ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି ।
ରେଡମଡ ପଣ୍ଡ ଖନନ କରିବା ପାଇଁ ଡେଙ୍ଗାଯାନୀଗୁଡା ନିକଟରେ ସ୍ଥାନ ଚୟନ କରାଯାଇଥିବା ବେଳେ ନାଲକୋର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଥିବା ରେଡ଼ ମଡ଼ ପଣ୍ଡରୁ ରାସାୟନିକ ପଦାର୍ଥ ଗାଁ ନିକଟର ଜଳକୁ ଦୂଷିତ କରୁଛି । ଏହାସହିତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥିବା ଯୋଗୁଁ ଦ୍ଵିତୀୟ ରେଡ଼ ମଡ଼ ପଣ୍ଡ ନିର୍ମାଣକୁ ଗ୍ରାମବାସୀ ବିରୋଧ କରୁଛନ୍ତି । କିଛି ଦିନ ପୂର୍ବେ ନାଲକୋ ତରଫରୁ ଏହି ଖନନ କାର୍ଯ୍ୟ କରୁଥିବା କମ୍ପାନୀ ଡେଙ୍ଗାଜାନୀଗୁଡ଼ା ଗ୍ରାମ ଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଖରୀ ଖନ୍ନନ ପାଇଁ ସର୍ଭେ ଆରମ୍ଭ କରିଥିଲା ।
NALCOର ରେଡ଼ମଡ଼ ପଣ୍ଡ ନିର୍ମାଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ ଏ ସମ୍ପର୍କରେ ସୂଚନା ପାଇ ଗ୍ରାମବାସୀ ସର୍ଭେ କରୁଥିବା କମ୍ପାନୀ କର୍ମଚାରୀଙ୍କୁ ଏଠାରେ ରେଡ୍ ମଡ ପଣ୍ଡ୍ କାର୍ଯ୍ୟ ନିର୍ମାଣ ନ କରିବା ବାରଣ କରିଥିଲେ । ଏହି ରେଡ଼ମଡ଼ ପଣ୍ଡ ନିର୍ମାଣ କରିବା ପୂର୍ବରୁ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ଗାଁର ଯୁବପିଢିଙ୍କୁ ଚାକିରୀ ଦେବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ନାଲକୋ ନିକଟରେ ସର୍ତ୍ତ ରଖିଥିବା ବେଳେ ନାଲକୋର କେହି ଅଧିକାରୀ ଏ ପର୍ଯ୍ୟନ୍ତ ଲୋକଙ୍କ ସହ ଆଲୋଚନା କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦଶମନ୍ତପୁର ତହସିଲଦାର ଓ କୋରାପୁଟ ସଦର ପୋଲିସ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ଗ୍ରାମବାସୀ ପ୍ରବଳ ବିରୋଧ ଦେଖି ସେମାନେ ଫେରିଯାଇଥିଲେ । ତେବେ ଶନିବାର କୋରାପୁଟ ଉପଜିଲ୍ଲାପାଳ, ତହସିଲଦାର, ଅମିନ ଏବଂ ଅନ୍ୟାନ୍ୟ ଅଧିକାରୀ ଡେଙ୍ଗାଜାନିଗୁଡା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସୁବିଧା ଅସୁବିଧା କଥା ବୁଝିବେ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ