ଓଡିଶା

odisha

ETV Bharat / state

ଅଭିନବ ଉପାୟରେ ଶିକ୍ଷା: ବିଦ୍ୟାଳୟ ଗଲା ପିଲାଙ୍କ ପାଖକୁ

କୋରୋନା କଟକଣା ସମୟରେ ଛାତ୍ରଛାତ୍ରୀଙ୍କୁ ଗାଁ କୁ ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ନାଲକୋ ଫାଉଣ୍ଡେସନର ସହଯୋଗରେ ୱାର୍ଡ ସଂସ୍ଥା ଦ୍ଵାରା ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ପ୍ରତିଦିନ ଯାଇ ପାଠ ପଢାଉଛନ୍ତି । ଯାହା ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହେଉଛନ୍ତି । ଅଧିକ ପଢନ୍ତୁ

School reach childers village in koraput
ପିଲାଙ୍କୁ ଅଭିନବ ମାଧ୍ୟମରେ ଶିକ୍ଷା ଦେଉଛି ନାଲୋକ ଫାଉଣ୍ଡେସନର ଆଦର୍ଶ ବିଦ୍ୟାଳୟ

By

Published : Feb 1, 2022, 3:24 PM IST

Updated : Feb 1, 2022, 7:04 PM IST

କୋରାପୁଟ: ସମୟ ସକାଳ ଆଠଟା । କାକିରିଗୁମ୍ମା ନିକଟସ୍ଥ ଖୁଡିପଦରରେ ନାଲକୋ ଫାଉଣ୍ଡେସନର ସହଯୋଗରେ ୱାର୍ଡ ସଂସ୍ଥା ଦ୍ଵାରା ପରିଚାଳିତ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ପ୍ରସ୍ତୁତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଗାଁକୁ ଯାଇ ପଢ଼ାଇବା ପାଇଁ । ପ୍ରତିଦିନ ସକାଳୁ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ଦ୍ୱାରା ପ୍ରସ୍ତୁତିର ସମୀକ୍ଷା କରାଯିବା ପରେ ସେମାନଙ୍କୁ ନେଇ ୱାର୍ଡ ସ୍ବେଚ୍ଛାସେବୀ ସଂଗଠନର ଗାଡିରେ ପଞ୍ଚପଟ୍ଟମାଳିର ପାଦଦେଶରେ ଥିବା ଭିତରଗଡ଼ ଓ ନାଲକୋ ଖଣିର ଅପର ପାର୍ଶ୍ଵରେ ମୁଣ୍ଡଗଡତି ରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ଟାଇମଟେବୁଲ ଅନୁଯାୟୀ ପାଠପଢ଼ାଇବା ପାଇଁ ଯାତ୍ରା ଆରମ୍ଭ କରୁଛନ୍ତି ।

ଅଭିନବ ଉପାୟରେ ଶିକ୍ଷା: ବିଦ୍ୟାଳୟ ଗଲା ପିଲାଙ୍କ ପାଖକୁ

ଅନେକ ଦିନ ହେବ କୋଭିଡ କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି । ସରକାରଙ୍କ କଡା ନିର୍ଦେଶକୁ ମାନି ସହର ଠାରୁ ଗାଁ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ଆସିବା ପାଇଁ ମନା କରିଦିଆଗଲା । କିନ୍ତୁ ଖୁଡିପଦରର ଆଦର୍ଶ ବିଦ୍ୟାଳୟର ପରିଚାଳକ ମାନେ ସ୍କୁଲକୁ ଆସୁନଥିବା ଅବସ୍ଥାରେ ପିଲାଙ୍କ ସ୍ଥିତି ଏବଂ ବିଶେଷ କରି ଝିଅ ପିଲାଙ୍କ ସ୍ଥିତିକୁ ଗମ୍ଭୀର ରୂପେ ଆଲୋଚନା ନ କରି ରହିପାରିଲେ ନାହିଁ । ଏହି ବିଦ୍ୟାଳୟରେ ବିଶେଷ କରି ପାହାଡ ପର୍ବତ ଘେରା ଅଞ୍ଚଳରେ ରହୁଥିବା କନ୍ଧ ଜନଜାତିର ଝିଅ ମାନେ ପଢୁଥିବା ଯୋଗୁଁ ସେମାନଙ୍କ ପାଇଁ ପାଠପଢା କିପରି ଚାଲୁ କରାଯାଇପାରିବ ସେ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ରାମକୃଷ୍ଣ ସୁରଦେବଙ୍କ ଭଳି ପରାମର୍ଶଦାତାଙ୍କ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ଶିକ୍ଷଣ ଉପକରଣର ପ୍ରସ୍ତୁତି କରାଯାଇଥିଲା । ଅନେକ ଚର୍ଚ୍ଚା ଆଲୋଚନା ପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନବମ ଶ୍ରେଣୀରେ ପଢୁଥିବା ଝିଅଙ୍କ ପାଖକୁ ଯାଇ ପାଠ ପଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି କ୍ରମରେ ଦାମନଯୋଡିରେ ଥିବା ନାଲକୋ ଖଣିର ପାଦ ଦେଶରେ ତଥା ନିକଟସ୍ଥ ପଞ୍ଚପଟ୍ଟମାଳୀ ପର୍ବତର ଏକ ନିବୃତ କୋଣରେ ଉପର ଗଡତି ଓ ମୁଣ୍ଡଗଡତି ତଥା ଅଦୂରରେ ଥିବା ଭିତରଗଡ ଠାରେ ଅସ୍ଥାୟୀ ବିଦ୍ୟାଳୟ ଖୋଲିଦିଆଗଲା । ଉପର ଗଡତି ଓ ମୁଣ୍ଡ ଗଡତି ଗ୍ରାମର ମଧ୍ୟ ଭାଗରେ ଏକ ପାହାଡିଆ ସମତଳ ଅଞ୍ଚଳରେ ବିଶାଳ ବୃକ୍ଷ ମୂଳରେ କୋଭିଡ଼ ନିୟମାବଳୀର ସମସ୍ତ ସର୍ତ୍ତକୁ ମାନି ଖୋଲାଯାଇଥିବା ମୁକ୍ତ ଆକାଶ ତଳର ଅସ୍ଥାୟୀ ବିଦ୍ୟାଳୟକୁ ଏହି ଦୁଇଟି ଗ୍ରାମରୁ ଛାତ୍ରୀମାନେ ସବୁଦିନ ପଢିବାକୁ ଆସୁଥିବା ଏହି ବିଦ୍ୟାଳୟର ଅଧ୍ୟକ୍ଷା ପ୍ରୀତିମୟୀ ଦାସ କହିଛନ୍ତି । ସୁଦୂର ଖୁଡିପଦରରୁ ଏହି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ସେହି ସ୍ଥାନକୁ ଯିବା କିଛି କମ କଷ୍ଟଦାୟକ ନୁହେଁ ।

ତଥାପି ପିଲାଙ୍କ ଆବଶ୍ୟକତାକୁ ଆଖିରେ ରଖି ପିଲାଙ୍କ ପାଇଁ ପ୍ରତ୍ୟେକ ବିଷୟକୁ ପ୍ରାଞ୍ଜଳ ଭାବରେ ବୁଝାଇବା ପାଇଁ ବ୍ୟବହାର ଉପଯୋଗୀ ଶିକ୍ଷଣ ସାମଗ୍ରୀକୁ ପ୍ରସ୍ତୁତ କରି ସବୁଦିନ ସେମାନଙ୍କ ପାଖରେ ପହଞ୍ଚୁଛନ୍ତି ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନେ । ଗାଁରେ ଉନ୍ନତ ମାନର ମୋବାଇଲ ସିଗନାଲ ଓ ସ୍ମାର୍ଟ ଫୋନର ଅଭାବରେ ଅନଲାଇନ କ୍ଳାସ କରି ନପାରି ଘରେ ବସି ରହି ଅନାଗତ ଭବିଷ୍ୟତକୁ ଅନାଇ ରହିଥିବା ବେଳେ ଏହିପରି ଭାବେ ପାଠ ପଢିବା ପାଇଁ ସମସ୍ତେ ଉତ୍ସାହିତ ହୋଇଉଠିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ଏକ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଆଶା ଭରିଦେଵ ବୋଲି ନାଲକୋ ଫାଉଣ୍ଡେସନର ସିଇଓ ସୁବାଷ ରାଏ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Feb 1, 2022, 7:04 PM IST

ABOUT THE AUTHOR

...view details